ନନ୍ଦିଘୋଷ ବ୍ୟୁରୋ : ଚିନ୍ତା ବଢ଼ାଇଲା ଏଲ ନିନୋ। ପ୍ରଶାନ୍ତ ମହାସାଗର ଉପରେ ସୃଷ୍ଟି ହେଉଛି ଶକ୍ତିଶାଳୀ ଏଲ ନିନୋ। ଆସନ୍ତା କିଛି ମାସ ଲାଗି ଏହା କେବଳ ଚିନ୍ତା ବଢାଉନି, ୨୦୨୭ ଯାଏ ଏହାର ପ୍ରଭାବ ରହିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସାରା ବିଶ୍ବରେ ଏହାର ପ୍ରଭାବ ରହିବ ବୋଲି ସୂଚନା ମିଳିଛି। ଆସନ୍ତା ନଭେମ୍ବର, ଡିସେମ୍ବର ଓ ଜାନୁଆରୀ ୨୦୨୭ରେ ସମୁଦ୍ର ପୃଷ୍ଠର ଉତ୍ତାପ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛି NMME। କେନ୍ଦ୍ର ଓ ପୂର୍ବ ଭୂମଧ୍ୟସାଗରୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ଡିଗ୍ରି ବୃଦ୍ଧି ପାଇବ। ଅନ୍ୟ କିଛି ମଡେଲ ଅନୁସାରେ ଏହା ୫ ଡିଗ୍ରି ଯାଏ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ପାଣିପାଗ ବିଜ୍ଞାନୀଙ୍କ ମତରେ ଯଦି ୧.୫ ଡିଗ୍ରିରୁ ୧.୯ ଡିଗ୍ରିକୁ ଏହି ଅଞ୍ଚଳର ତାପମାତ୍ରା ବଢେ ତେବେ ତାହାକୁ ଶକ୍ତିଶାଳୀ ଏଲ ନିନୋ କୁହାଯିବ। ଯଦି ତାପମାତ୍ରା ୨ ଡିଗ୍ରିରୁ ଅଧିକ ହୁଏ ତେବେ ତାହାକୁ ଅତି ଶକ୍ତିଶାଳୀ ବା ସୁପର ଏଲନିନୋ କୁହାଯିବ। ୨୦୨୬ ଶେଷ ସୁଦ୍ଧା ଏଲ ନିନୋର ପ୍ରଭାବ ଜୋରଦାର ପଡ଼ିବ ବୋଲି କୁହାଯାଇଛି। ଏଲ ନିନୋର ପ୍ରଭାବ ଜଳବାୟୁ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଅନେକ ସମୟରେ ଏଲନିନୋ ଯୋଗୁ ଦୁର୍ବଳ ମୌସୁମୀ କମ୍ ବୃଷ୍ଟି ଆଦି ପରିଲକ୍ଷିତ ହୋଇଥାଏ।

