ମହାରାଷ୍ଟ୍ରରେ ବଢିଲା ମହାୟୁତି ଫାଟ; ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଲେନାହିଁ ସିନ୍ଦେ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ବଢିଲା ମହାୟୁତି ବିବାଦ। ସରକାରରୁ ସାଇଡ ମାରିଲେଣି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଲଗାତର ଭାବରେ ୩ଟି ସରକାରୀ କାର୍ଯ୍ୟକ୍ରମରେ ସିନ୍ଦେ ଉପସ୍ଥିତି ନହେବାରୁ ବିବାଦ ଘନୀଭୂତ ହୋଇଥିବା ଚର୍ଚ୍ଚା ହେଉଛି।

ଥାନେର ବଦାଲପୁରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ, ଆଗ୍ରା ଦୁର୍ଗରେ ମରାଠା ରାଜାଙ୍କ ଜନ୍ମବାର୍ଷିକୀ ଏବଂ ଅମ୍ବେଗାଁ ବୁଦରୁକରେ ଶିବସୃଷ୍ଟି ଥିମ୍ ପାର୍କର ଉନ୍ମୋଚନ ଉତ୍ସବରେ ସିନ୍ଦେ ଯୋଗ ଦେଇ ନଥିବାରୁ ମହାୟୁତି ଭିତରେ ଯେ ଫାଟ ବଢିଛି ତାହା ଚର୍ଚ୍ଚା ଚାଲିଛି। ଏହି ସମସ୍ତ ଉତ୍ସବରେ କେବଳ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ଯୋଗ ଦେଇଥିଲେ। ପ୍ରଥମରୁ ମୁଖ୍ୟମନ୍ତ୍ରୀ ହେବା ଲାଗି ଉଦ୍ୟମ କରି ବିଫଳ ହୋଇଥିବା ଏକନାଥ ସିନ୍ଦେ ଏବେ ସରକାରରେ ଏକଘରିକିଆ ଅବସ୍ଥାରେ ରହିଛନ୍ତି। ଏହା ସହ କିଛି ଦିନ ତଳେ ଶିବସେନାର କେତେକ ବିଧାୟକଙ୍କଠାରୁ ୱାଇ କାଟେଗୋରୀ ସୁରକ୍ଷା ପ୍ରତ୍ୟାହାର ପରଠାରୁ ଦଳରେ ଅଶାନ୍ତି ଜାରି ରହିଛି।