ମହାରାଷ୍ଟ୍ର ନାଟକ: ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିପାରନ୍ତି ସିନ୍ଦେ ଗୋଷ୍ଠୀ

ମୁମ୍ବାଇ: ବିଦ୍ରୋହୀ ବିଧାୟକଙ୍କୁ ସୋମବାର ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି  । ଆଶ୍ୱସ୍ତି ମିଳିବା ପରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଆଗାମୀ ଋଣନୀତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛିନ୍ତି  । ଏହି ବୈଠକରେ ସଙ୍କେତ ମିଳିଛି ଯେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଦ୍ରୋହୀ ଗୋଷ୍ଠୀ ରାଜ୍ୟପାଳଙ୍କୁ ଭେଟି ମହାରାଷ୍ଟ୍ର ସରକାରରୁ ନିଜର ସମର୍ଥନ ଫେରାଇନେବାକୁ ଚିଠି ଦେଇ ପାରନ୍ତି  ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବିଦ୍ରୋହୀ ବିଧାୟକ ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ଦାବି ମଧ୍ୟ କରିବାର ସମ୍ଭାବନା ରହିଛି । ସିନ୍ଦେଙ୍କ ସମେତ ଅନ୍ୟ କିଛି ବିଦ୍ରୋହୀ ବିଧାୟକ ମୁମ୍ବାଇ ଯିବାର ଖବର ସାମ୍ନାକୁ ଆସୁଛି  । ଏହା ପୂର୍ବରୁ ସୁପ୍ରିମକୋର୍ଟ ମହାରାଷ୍ଟ୍ର ଉପବାଚସ୍ପତିଙ୍କ ଦ୍ୱାରା ଜାରି କରାଯାଇଥିବା ଅଯୋଗ୍ୟ ନୋଟିସ୍ ବିରୋଧରେ ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ ଆଶ୍ୱସ୍ତି ଦେଇ କହିଥିଲେ ସମ୍ବନ୍ଧିତ ବିଧାୟକଙ୍କ ଅଯୋଗ୍ୟତା ଉପରେ ୧୧ ଜୁଲାଇ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯିବ ନାହିଁ  ।

ଅନ୍ୟପକ୍ଷରେ ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଖାଯାଇଛ୍ତି  । ବିଦ୍ରୋହୀ ବିଧାୟକଙ୍କ ପାଖରୁ ମନ୍ତ୍ରୀ ପଦ ଛଡାଇ ନେଇଛନ୍ତି  । ବହୁମତ ନଥିବା ଉଦ୍ଧବ ସରକାର କ୍ଷମତା ବଞ୍ଚାଇବାରେ ସଫଳ ହେବେ ନାଁ ବିରୋଧୀମାନେ ବିଜେପି ସହ ମିଶି ନୂଆ ସରକାର ଗଢିବେ ତା ଉପରେ ସମସ୍ତଙ୍କ ନଜର ରହିଛି  । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସିନ୍ଦେ ଗୋଷ୍ଠୀ ବଡ ପଦକ୍ଷେପ ନେବାର ସମ୍ଭାବନା ରହିଛି  । ସୁପ୍ରିମକୋର୍ଟରୁ ବିଦ୍ରୋହୀଙ୍କୁ ଆଶ୍ୱସ୍ତି ମିଳିବା ପରେ ଏକନାଥ ସିନ୍ଦେ ଟ୍ୱିଟ କରି କହିଛନ୍ତି, ବାଲାସାହେବଙ୍କ ପ୍ରକୃତ ହିନ୍ଦୁତ୍ୱର ଆଜି ବିଜୟ ହୋଇଛି  । ପୂର୍ବରୁ ଶିବସେନା ଉପରେ ଆଧିପତ୍ୟ ସାବ୍ୟସ୍ତ ପାଇଁ ଏକନାଥ ଏବଂ ଉଦ୍ଧବଙ୍କ ମଧ୍ୟରେ ଛକାପଞ୍ଛା ଜାରି ରହିଛି  ।