ଆସନ୍ତା ଫେବୃଆରୀ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜିତ ହେବ ଏକାମ୍ର ଉତ୍ସବ
1 min readଭୁବନେଶ୍ବର: ଆସନ୍ତା ଫେବୃଆରୀ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜିତ ହେବ ଏକାମ୍ର ଉତ୍ସବ । ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଉତ୍ସବର ମଜା ନେବେ ରାଜଧାନୀବାସୀ । ଲୋକଙ୍କ ମନୋରଞ୍ଜନ ପାଇଁ ଏକ ନୂତନ ରୂପରେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଏକାମ୍ର ଉତ୍ସବ । ଏଥିରେ ଅନୁଷ୍ଠିତ ହେବ ସଙ୍ଗୀତର ମୂର୍ଚ୍ଛନା । ଯେଉଁଠାରେ ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ଦେଖିବାକୁ ମିଳିବ ନୃତ୍ୟ, ସଙ୍ଗୀତ, ଲାଇଭ ବ୍ୟାଣ୍ଡ ପରିବେଷଣ । ୭ଦିନିଆ ଉତ୍ସବରେ ପ୍ରତି ସନ୍ଧ୍ୟାରେ ରହିବ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ । ପ୍ରଥମ ଦିନରେ ସ୍ମୃତି ତୁମେ ଅକ୍ଷୟ ଶୀର୍ଷକ କାର୍ଯ୍ୟକ୍ରମ ରହିଛି। ଏଥିରେ ଜ୍ୟୋତିର୍ମୟୀ, ଅଭିରାମ, ରାଜେଶ, କୃଷ୍ଣ ଓ ମିତ୍ରଭାନୁଙ୍କ ଭଳି କଳାକାର ଯୋଗଦେବେ । ସେହିପରି ୪ ଫେବ୍ରୁଆରୀ ସଙ୍ଗୀତର ତାଳେ ତାଳେ କାର୍ଯ୍ୟକ୍ରମରେ ଅନୁରାଧା ପୌଡୱାଲ,ସୁରେଶ ୱାଡେକର ଯୋଗଦେବେ । ୫ ତାରିଖରେ ଅଭୁଲା ଅତୀତ, ୬ରେ ଭାଷା ହିଁ ଭବିଷ୍ୟତ, ୭ରେ ବସନ୍ତର ସ୍ୱର, ୮ରେ ମୂର୍ଚ୍ଛନାର ଭିନ୍ନ ଏକ ସନ୍ଧ୍ୟା, ୯ରେ ତୁମେ ଚାହିଁଲ ବୋଲି କାର୍ଯ୍ୟକ୍ରମରେ ଜୁବିନ ନୌତାଆଲ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ଉତ୍ସବରେ ଓଡିଶା ହାଣ୍ଡିଶାଳର ସୁଆଦିଆ ଖାଦ୍ୟର ମଜା ମିଳିବ। ହାତ ତିଆରି ଆଞ୍ଚଳିକ ଖାଦ୍ୟର ପ୍ରଚାର ପ୍ରସାର କରିବା ପାଇଁ ଆମ ବ୍ୟଞ୍ଜନ କାର୍ଯ୍ୟକ୍ରମ ସାମିଲ କରାଯାଇଛି। ଗୋଟିଏ ଷ୍ଟଲରେ ବାରିପଦା ମୁଢ଼ି ମାଂସ ଠାରୁ ଆରମ୍ଭ କରି ସାଲେପୁର ରସଗୋଲା ଯାଏଁ ପ୍ରତ୍ୟେକ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ଉପଲବ୍ଧ ହେବ। ଏକାମ୍ର ହାଟଠାରେ ଲୋକଙ୍କ ପାଇଁ ଅପରାହ୍ନ ୪ରୁ ରାତି ୧୧ ପର୍ଯ୍ୟନ୍ତ ରାତ୍ରିକାଳୀନ ବଜାର ଖୋଲିବ। ଭୁବନେଶ୍ୱର କାହାଣୀ ଉତ୍ସବ ବା ଭୁ-ଫେଷ୍ଟୋର ତୃତୀୟ ସଂସ୍କରଣ ଆକର୍ଷଣୀୟ କାହାଣୀ ସହିତ ପ୍ରମୁଖ ୪ଟି ଭିନ୍ନ ସ୍ଥାନ ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ, ଏପିଜେ ଅବଦୁଲ କାଲାମ ପାର୍କ, ଏବଂ ନୀଳାଦ୍ରି ବିହାରର ବୁଦ୍ଧ ପାର୍କ ଠାରେ ଅନୁଷ୍ଠିତ ହେବ। ୭,୮, ୯ରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଉପରେ ଏକ ଡ୍ରୋନ ଶୋ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ୨୦୦ଟି ଡ୍ରୋନ ସାମିଲ ହେବ ।