ଅନନ୍ୟ ଏକାମ୍ର ପ୍ରକଳ୍ପ ପାଇଁ ଭୂମିପୂଜନ, ଆଜି ଯଜ୍ଞରେ ଯୋଗଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ

1 min read

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ୍ । ନାମଯଜ୍ଞରେ କମ୍ପୁଛି ଏକାମ୍ର ନଗରୀ । ଆଲୋକମାଳାରେ ସଜ୍ଜିତ ହୋଇଛି ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ବର ମନ୍ଦିର, ବିନ୍ଦୁସାଗର ଓ ଅନ୍ୟ ମନ୍ଦିର । ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତ ହୋଇଛି ବିରାଟ ଯଜ୍ଞସ୍ଥଳୀ । ଆଜି ଭୋର ୪ଟାରୁ ଜଳାଧିବାସ ହୋଇଥିବାବେଳେ ୬ଟା ୩୦ରେ ମନ୍ଦିର ଓ ଯଜ୍ଞବେଦୀ ପ୍ରଦକ୍ଷିଣ କରାଯାଇଛି । ଏହା ପରେ ଘଟ ଓ ଦୀପ ସ୍ଥାପନ, ଗୁରୁ ପୂଜନ, ପଞ୍ଚାମୃତ, ପଞ୍ଚଗବ୍ୟ ଶୋଧନ କରାଯାଇ ସୂର୍ଯ୍ୟ ପୂଜା ସହ ଆରମ୍ଭ ହେବ ଯଜ୍ଞ । ଆଜି ଯଜ୍ଞରେ ଯୋଗଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଅପରାହ୍ନ ୪ଟା ୧୫ରେ ହର-ପାର୍ବତୀ ମୂର୍ତ୍ତି ଉନ୍ମୋଚନ କରିବେ ।

ଆସନ୍ତାକାଲି ସକାଳ ୧୦ଟା ୧୧ରୁ ୧୦ଟା ୫୦ ଯାଏ ଶିଳା ଶୋଧନ, ଶିଳା ପ୍ରତିଷ୍ଠା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶିଳାନ୍ୟାସ କରାଯିବ । ସକାଳ ୧୧ଟା ୩୦ ଭିତରେ ପୂର୍ଣ୍ଣାହୂତିରେ ବି ଯୋଗଦେବେ ମୁଖ୍ୟମନ୍ତ୍ରୀ ।  ବିଏମସି ମାର୍କେଟ କମ୍ପ୍ଲେକ୍ସରେ ସ୍କାଏ ପ୍ରୋଜେକ୍ସନ, ଆଲୋକ ଓ ଶବ୍ଦ ପ୍ରଦର୍ଶନ ସହ ନୃତ୍ୟ ଆୟୋଜନ କରାଯାଇଛି । ପ୍ରୋଜେକ୍ଟ ମଡେଲ ଓ ସୂଚନା ପ୍ରଦର୍ଶନୀ ଜରିଆରେ ଏକାମ୍ର କ୍ଷେତ୍ରର ବିକାଶ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଯାଉଛି । ଆଜି ଓ କାଲି ହରିହରନ, ଅନନ୍ତ ସୁବ୍ରମଣି, ଅଭିଲିପସା ପଣ୍ଡା, ଆନନ୍ଦ ନନ୍ଦ, ନୀଳାଦ୍ରି କୁମାରଙ୍କ ପରି ଦେଶର ନାମୀଦାମୀ କଳାକାର ସନ୍ଧ୍ୟା ୫ଟା ୩୦ରୁ ରାତି ୧୦ଟା ଯାଏ ଭଜନ ପରିବେଷଣ କରିବେ । କାର୍ଯ୍ୟକ୍ରମ ପାଇଁ ଏକାମ୍ରବାସୀଙ୍କ ସହଯୋଗରେ ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ନଗରୀକୁ ପ୍ଲାଷ୍ଟିକମୁକ୍ତ କରାଯାଇଛି ।