ରାଜ୍ୟରେ ପୁଞ୍ଜିନିବେଶ କ୍ଷେତ୍ରରେ ଆଉ ଏକ ସଫଳତା

ଭୁବନେଶ୍ୱର: ରାଜ୍ୟରେ ପୁଞ୍ଜିନିବେଶ କ୍ଷେତ୍ରରେ ଆଉ ଏକ ସଫଳତା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଆଜି ଆଉ ୮ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହିସବୁ ପ୍ରକଳ୍ପ ପାଇଁ ମୋଟ ୧୩୯୭ କୋଟି ୧୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୮୬୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ମୁଖ୍ୟତଃ ପ୍ଲାଷ୍ଟିକ, ଟେକ୍ସଟାଇଲ, ଆଲୁମିନିୟମ ଓ କୃଷି ଭିତ୍ତିକ ଶିଳ୍ପରେ ପୁଞ୍ଜିନିବେଶ ହେବ। ସମ୍ବଲପୁରରେ ସିନଟେକ୍ସ ବିଏପିଏଲ ପକ୍ଷରୁ ୩୭ହଜାର ୫୨୦ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ପ୍ଲାଷ୍ଟିକ ଟ୍ୟାଙ୍କ, ପ୍ଲାଷ୍ଟିକ ସିପିଭିସି, ୟୁପିଭିସି ଫିଟିଙ୍ଗ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏଥିପାଇଁ ୪୭୯ କୋଟି ୪୭ ଲକ୍ଷ ଟଙ୍କା ବିନିଯୋଗ ହେବ। ଏହାଦ୍ବାରା ସିଧାସଳଖ ଭାବେ ହଜାରେ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଖୋର୍ଦ୍ଧାରେ ମଧ୍ୟ ମେଗା ଫ୍ଲେକ୍ସ ପ୍ଲାଷ୍ଟିକସ୍ ଲିମିଟେଡ ପକ୍ଷରୁ ୯ହଜାର ୬୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ପ୍ଲାଷ୍ଟିକ କଣ୍ଟେନର ପ୍ଲାଣ୍ଟ ପ୍ରତିଷ୍ଠା ହେବ।

ସମ୍ବଲପୁରର ଲାପଙ୍ଗା ଠାରେ ୨୪୧ କୋଟି ବ୍ୟୟ ବରାଦରେ ହ୍ବାଇଟ ଫ୍ୟୁଜଡ ଆଲୁମିନା କାରଖାନା ପ୍ରତିଷ୍ଠା ହେବ। ଯାଜପରୁ କଳିଙ୍ଗନଗରରେ ସାନ୍ଧୁ ଟ୍ୟୁବସ୍ ପକ୍ଷରୁ କଏଲ ପ୍ରୋସେସିଂ ୟୁନିଟ ପ୍ରତିଷ୍ଠା ହେବ। ସୁନ୍ଦରଗଡରେ କାଇ ଷ୍ଟିଲ ପକ୍ଷରୁ ଟିଏମଟି ବାର କାରଖାନା ପ୍ରତିଷ୍ଠା ହେବ। ଖୋର୍ଦ୍ଧାରେ ଅଞ୍ଜୁ ଅଟୋଗ୍ରାଫ ବିଜନେସ୍ ପାର୍କ ପଷରୁ ଏକ ଆଇଟି ପାର୍କ ପ୍ରତିଷ୍ଠା କରାଯିବ।

ବାଲେଶ୍ବରରେ ଏଚଆଇଏଲ ଇଣ୍ଡିଆ ପ୍ରତିଷ୍ଠା କରିବ ପିଭିସି ଓ ସିପିଭିସି ପାଇପ କାରଖାନା। କୋରାପୁଟରେ ମଧ୍ୟ ଜିଜିଏଲ ଚାଲେଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପ୍ଲାଏ ବୋର୍ଡ ଓ ବାୟୋମାସ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଏହିସବୁ ପ୍ରକଳ୍ପକୁ ଆଜି ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍ସ  ଅଥରିଟି ବୈଠକରେ ଅନୁମୋଦନ ମିଳିଛି।