ମେଘାଳୟ ସରକାରରେ ହଲଚଲ: ବିଜେପି ଶାସିତ ମନ୍ତ୍ରିମଣ୍ଡଳର ୬୬ ପ୍ରତିଶତ ମନ୍ତ୍ରୀଙ୍କ ଇସ୍ତଫା

ନନ୍ଦିଘୋଷ ବ୍ୟୁରୋ: ମେଘାଳୟରେ ରାଜନୀତି ଉଷ୍ଣ ହେବାରେ ଲାଗିଛି । ରାଜ୍ୟରେ ଚାଲିଥିବା ବିଜେପି ମେଣ୍ଟ ସରକାରର ୧୨ରୁ ୮ ଜଣ ମନ୍ତ୍ରୀ ଇସ୍ତଫା ଦେଇ ଦେଇଛନ୍ତି । ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ଏନପିପି, ୟୁଡିପି, ଏଚଏସପିଡିପି ଓ ବିଜେପି ଦଳର । ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ହେଲେ ଏନିପିପିର ଅମ୍ପାରିନ ଲିଙ୍ଗଦୋହ, କମିଙ୍ଗିନ ୟମ୍ବୋନ, ରକ୍କମ ଏ. ସଙ୍ଗମା ଏବଂ ଅବୁ ତାହିର ମଣ୍ଡଳ, ୟୁଡିପିରୁ ପର୍ଲ ଲିଙ୍ଗଦୋହ ଏବଂ କିରମେନ ଶାୟଲା, ଏଚଏସପିଡିପିରୁ ଶକଲିୟାର ବାରିଜିର ଏବଂ ବିଜେପିର ଏ.ଏଲ. ହେକ । ମେଘାଳୟ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ହେବା ପାଇଁ ଏମାନେ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ବର୍ତ୍ତମାନ ମେଘାଳୟରେ ନ୍ୟାଶନାଲ ପିପୁଲ୍ସ ପାର୍ଟର ସରକାର ଚାଲିଛି । ଯାହାର ନେତୃତ୍ବ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା କରୁଛନ୍ତି । ଏହି ସରକାରରେ ଏକାଧିକ ଦଳ ସାମିଲ ଅଛନ୍ତି । ଏହି ସରକାର ମେଘାଳୟ ଡେମୋକ୍ରେଟିକ ଏଲାୟନ୍ସ ନାମକ ମେଣ୍ଟ ଉପରେ ଆଧାରିତ । ୨୦୨୩ ବିଧାନସଭା ନିର୍ବାଚନ ପରେ ଏହି ମେଣ୍ଟ ହୋିଥିଲା । ୬୦ ସଦସ୍ୟ ବିଶିଷ୍ଟ ମେଘାଳୟ ବିଧାନସଭାରେ ମୋଟ ୧୨ ଜଣ ମନ୍ତ୍ରୀ ରହିପାରିବେ । ଏମାନଙ୍କ ମଧ୍ୟରୁ ୮ ଜଣ ଇସ୍ତଫା ଦେଇ ଦେଇଛନ୍ତି ।

କାହିଁକି ଦେଲେ ଇସ୍ତଫା ?

କ୍ୟାବିନେଟ ବିସ୍ତାର ପୂର୍ବରୁ ମନ୍ତ୍ରୀଙ୍କ ଇସ୍ତଫାର କାରଣ ବି ପଦାକୁ ଆସିଛି । ମନ୍ତ୍ରିମଣ୍ଡଳରେ ନୂଆ ଚେହେରାଙ୍କୁ ସୁଯୋଗ ଦେବାକୁ ଏପରି କରାଯାଇଛି । ଆଜି ସନ୍ଧ୍ୟାରେ ନୂଆ ମନ୍ତ୍ରୀଙ୍କୁ ରାଜଭବନରେ ଶପଥ ପାଠ କରାଯିବ । ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଏକାଧିକ କାରଣ କୁହାଯାଉଛି । ସୂଚନା ଅନୁସାରେ, ସହଯୋଗୀ ପାର୍ଟିଙ୍କୁ ଅଧିକ ସୁଯୋଗ ଦିଆଯିବାକୁ ଏହି ଅଦଳବଦଳ କରାଯାଉଥିବା କୁହାଯାଉଛି ।

ତଥ୍ୟ ଅନୁସାରେ ଏନିପିପି ବିଧାୟକ ବୋଲାଦମିକ ଶାୟଲା, ସୋସ୍ଥନିସ ସୋହତୁନ, ବ୍ରେନିଙ୍ଗ ଏ. ସଙ୍ଗମା ଏବଂ ଟିମୋଥ ଡି ଶିରା ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି । ଏମାନଙ୍କ ବ୍ୟତୀତ ୟୁଡିପି ପ୍ରମୁଖ ମେତବାହ ଲିଙ୍ଗଦୋହ ଏବଂ ପୂର୍ବତନ ମନ୍ତ୍ରୀ ଲଖମେନ ରିମ୍ବୁଇ ବି ଶପଥ ନେବାର ସମ୍ଭାବନା ରହିଛି । ସେହିପରି ଏଚଏସପିଡିପି ବିଧାୟକ ମେଥୋଡିୟସ ଦଖାର ମନ୍ତ୍ରିମଣ୍ଡଳରେ ଶକଲିୟାର ବାରଜିରିଙ୍କ ସ୍ଥାନ ନେଇ ପାରନ୍ତି । ସେହିପରି ବିଜେପିର ସନବୋର ଶୁଲ୍ଲଇ ମନ୍ତ୍ରିମଣ୍ଡଳରେ ଏଏଲ ହେକଙ୍କ ସ୍ଥାନ ନେଇପାରନ୍ତି ।