ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୮ ପ୍ରକଳ୍ପକୁ ମଞ୍ଜୁରୀ

Eight Investment Projects of of Rs.1214 Cr Cleared by SLSWCA

ଭୁବନେଶ୍ୱର: ଓଡ଼ିଶାର ବ୍ୟବସାୟ ଅନୁକୂଳ ବାତାବରଣ ଓ ସ୍ୱଚ୍ଛ ବ୍ୟବସ୍ଥା ଯୋଗୁ ରାଜ୍ୟ ନୂତନ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ସମର୍ଥ ହେଉଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୮ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଭର୍ଚୁଆଲ୍ ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଆଲୋଚନା କରିଥିଲେ ।

ଅନୁମୋଦିତ ୮ଟି ପ୍ରକଳ୍ପରେ ୧୨୧୪ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପରେ ୨୪୨୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । ପ୍ରକଳ୍ପ ତ୍ୱରିତ କାର୍ଯ୍ୟକ୍ଷମ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିଳ୍ପମାନଙ୍କ ପାଇଁ ଆବଶ୍ୟକ ଜମି ଓ ଜଳର ସଠିକ୍ ଆକଳନ କରିବା ସହ ଅଧିକ ନିଯୁକ୍ତି ଭିତ୍ତିକ ଶିଳ୍ପଗୁଡ଼ିକୁ ଅଗ୍ରାଧିକାର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ମୟୂରଭଞ୍ଜ ରାଇରଙ୍ଗପୁରରେ ଏନର୍ଜି ମିନେରାଲ୍ସ ପ୍ରା.ଲି. ଲୁହା ପଥର ବେନିଫିକେସନ୍ ଓ ପେଲେଟ୍ ପ୍ଲାଣ୍ଟ ୨୫୬ କୋଟି ବିନିଯୋଗରେ ନିର୍ମାଣ କରିବ । ଏଥିରେ ୨୭୪ ଜଣଙ୍କୁ ନିଯୁକ୍ତି ମିଳିବ । ଭୁବନେଶ୍ୱର ଡୁମଡୁମାରେ ଆଇଟିସି ଲିମିଟେଡ୍ ପଞ୍ଚ ତାରକା ହୋଟେଲ୍ ନିର୍ମାଣ କରିବ । ଏଥିରେ ୧୪୧.୧୪ କୋଟି ବିନଯୋଗ ହେବାକୁ ଥିବାବେଳେ ୧୨୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଫାଲକନ୍ ରିଅଲ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲି. ଖୋର୍ଦ୍ଧାରେ ୧୨୦.୨୬ କୋଟି ଟଙ୍କା ବିନିଯୋଗରେ ପଞ୍ଚ ତାରକା ହୋଟେଲ ନିର୍ମାଣ କରିବ । ଯେଉଁଥିରେ ୯୦୦ ଜଣ ନିଯୁକ୍ତି ପାଇବେ । ଖୋର୍ଦ୍ଧାରେ ଥିବା ବିସ୍କୁଟ୍ ଓ କେକ ପ୍ରକଳ୍ପର ସମ୍ପ୍ରସାରଣ କରିବ ବ୍ରିଟାନିକା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ । ଏଥିରେ ୯୩.୬୦ କୋଟି ନିବେଶ ହେବାକୁ ଥିବାବେଳେ ୩୫୦ ଜଣଙ୍କୁ ନିଯୁକ୍ତି ମିଳିବ ।

ଦେବଗଡ଼ରେ ୨୦୪.୬୦ କୋଟି ବିନିଯୋଗରେ ନିର୍ମାଣ ହେବ ଶସ୍ୟ ଭିତ୍ତିକ ଡିଷ୍ଟିଲେରୀ ପ୍ଲାଣ୍ଟ । ଏହାକୁ ଇନ୍ଦାଲକ୍ ସ୍ୱିରିଟ୍ ପ୍ରାଇଭେଟ୍ ଲିମିଟେଡ୍ ସ୍ଥାପନ କରିବ । ଏଥିରେ ୧୮୫ ଜଣ ନିଯୁକ୍ତି ପାଇବେ । ଝାରସୁଗୁଡ଼ାରେ ମାସ୍ ସ୍ପିରିଟସ୍ ପ୍ରା.ଲି. ଭିତ୍ତିକ ଡିଷ୍ଟିଲେରୀ ଏବଂ ବଟଲିଂ କାରଖାନା ୨୦୪.୬୦ କୋଟି ବିନିଯୋଗରେ କରିବ । ଏଥିରେ ୧୮୫ ଜଣଙ୍କୁ ନିଯୁକ୍ତି ମିଳିବ ।

ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡାରେ ଥିବା ସର୍ବେଶ ରିପ୍ରାକ୍ଟୋରିଜ୍ ପ୍ରାଇଭେଟ୍ ଲିମିଟେଡ୍ ରିଫ୍ରାକ୍ଟୋରୀ କାରଖାନାର ସମ୍ପ୍ରସାରଣ ହେବ । ଏଥିରେ ୧୨୩.୨୫ କୋଟି ନିବେଶ ହେବ । ଏହାଦ୍ୱାରା ୨୯୯ ଜଣ କର୍ମ ନିଯୁକ୍ତି ପାଇବେ । ପାରାଦୀପ ପ୍ଲାଷ୍ଟିକ ପାର୍କରେ ପୁରବ୍ ପ୍ୟାକେଜିଂ ପ୍ରାଇଭେଟ୍ ଲିମିଟେଡ୍ ପଲି ପ୍ରପେଇନ୍ କାରଖାନା କରିବ । ୬୦ କୋଟି ବିନିଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପରେ ୬୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

Leave a Reply