ଥରାଉଛି ଜାଡ଼: ୮ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ

1 min read

ଭୁବନେଶ୍ବର: ରାଜ୍ୟରେ କମୁଛି ତାପମାତ୍ରା, ବଢୁଛି ଶୀତ। ୮ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ । ଆଗକୁ ଆହୁରି କମିବ ତାପମାତ୍ରା ଓ ମାଡ଼ି ଆସିବ ହାଡଭଙ୍ଗା ଶୀତ।

୧୦ ଡିଗ୍ରୀ ସେଲସିୟସ ସହ ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି । ଫୁଲବାଣୀ ତାପମାତ୍ରା ୧୧.୫ ଡିଗ୍ରୀ ଥିବା ବେଳେ କୋରାପୁଟ ୧୨, କେନ୍ଦୁଝର ୧୩, ଭବାନୀପାଟଣା ଏବଂ ଝାରସୁଗୁଡା ୧୪.୨, ଟିଟଲାଗଡ ଏବଂ ସୋନପୁର ତାପମାତ୍ରା ୧୪.୮ ଡିଗ୍ରୀ ରହିଛି ।

ସେହିପରି ରାଜଧାନୀ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କଟକରେ ୧୭ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।

ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପବନ ତାପମାତ୍ରା କମାଇବାରେ ସହାୟକ ହେଉଛି । ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ରାତିରେ ତାପମାତ୍ରା ୨ ରୁ ୪ ଡିଗ୍ରୀ କମ ରହୁଛି । ଏହାସହିତ ଉପକୂଳ ଜିଲ୍ଲାଗୁଡିକରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ଘଟିଛି ।

ଅନ୍ୟପକ୍ଷରେ ଓଡ଼ିଶାକୁ ରହିଛି ଦୁଇ ଦୁଇଟି ଲଘୁଚାପ ଭୟ । ଚଳିତ ମାସ ଦ୍ବିତୀୟ ଓ ତୃତୀୟ ସପ୍ତାହରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବ । ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଘନିଭୂତ ହୋଇ ୧୨ କିମ୍ବା ୧୩ ତାରିଖରେ ତାମିଲନାଡୁ ଏବଂ ତତ୍ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

Leave a Reply