ଏଫିଲ ଟାୱାରକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଟାୱାର ଖାଲି କଲା ପୋଲିସ

ପ୍ୟାରିସ: ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ସ୍ଥିତ ଏଫିଲ ଟାୱାରକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି । ଧମକ ମିଳିବା କ୍ଷଣି ପୋଲିସ ଟାୱାରକୁ ଖାଲି କରିଦେଇଛି । ପ୍ୟାରିସ ପୋଲିସ କହିଛି ଯେ ବିଶ୍ୱରେ ପର୍ଯ୍ୟଟନର ପ୍ରମୁଖସ୍ଥଳ ଭାବେ ପରିଚିତ ଏଫିଲ ଟାୱାରରେ ବୋମା ବିସ୍ଫୋରଣ ନେଇ ଧମକ ମିଳିଛି । ଧମକ ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ଏଫିଲ ଟାୱାରକୁ ଖାଲି କରାଯାଇଛି । ଏଥିସହିତ ହିଁ ଏହାକୁ ଶନିବାର ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି । କୁହାଯାଉଛି ଯେ ମଧ୍ୟ ପ୍ୟାରିସରେ ସ୍ଥିତ ଏଫିଲ ଟାୱାରର ତିନୋଟି ମହଲାକୁ ଖାଲି କରାଯାଇଛି । ଏଥିସହିତ ହିଁ ବୋମା ନିଷ୍କ୍ରିୟକାରୀ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି । ପୋଲିସର ଅନେକ ଟିମ୍ ମଧ୍ୟ ଘଟଣାସ୍ଥଳରେ ମୁତୟନ ଅଛନ୍ତି । ଏଫିଲ ଟାୱାରର ଆଖପାଖରେ ମଧ୍ୟ ବୋମାର ତଲାସ କରାଯାଉଛି । ଏଫିଲ ଟାୱାର ଆଖପାଖରେ ପୋଲିସ ବ୍ୟାରିକେଡିଂ କରିଦେଇଛି । ଏଥିସହିତ ପର୍ଯ୍ୟଟକଙ୍କୁ କୁହାଯାଉଛି ଯେ ସେମାନେ ଟାୱାରଠୁ ଦୂରରେ ରୁହନ୍ତୁ ।