କ୍ରିଷ୍ଣା ଗୋଶାଳା ହେବ ସବୁଜମୟ, ବଜ୍ରପାତରୁ ରକ୍ଷା ପାଇବାକୁ ଲାଗିବ ତାଳଗଛ

ଭୁବନେଶ୍ବର: ଜାମୁକୋଳିରେ ଥିବା କ୍ରିଷ୍ଣା ଗୋଶାଳା ହେବ ସବୁଜମୟ । ସ୍ବାସ୍ଥ୍ଯକର ପରିବେଶ ସହିତ ବଜ୍ରପାତରୁ ରକ୍ଷା ପାଇବା ଲାଗି ଲାଗିବ ତାଳ ଗଛ । ଗୋଶାଳା ପରିସରରେ ଉନ୍ନତ ଭିତିଭୂମି ସଜାଡିବା ଲାଗି ପ୍ଲାନ କରିଛି ବିଏମସି । ୨୫ ଏକର ଜାଗାରେ ଆଉ ୩ଟି ନୂଆ ସେଡ ସହିତ ତିଆରି ହେବ କ୍ରିମେସେନ ସେଣ୍ଟର । ଭୁବନେଶ୍ୱର ମେୟର ସୁଲୋଚନା ଦାସ ଗୋଶାଳା ପରିଦର୍ଶନ କରି ସମୀକ୍ଷା କରିଛନ୍ତି ।

ଭୁବନେଶ୍ବର ଉପକଣ୍ଠ ଜାମୁକୋଳିରେ ଅଚାନକ ପରିଦର୍ଶନ କଲେ ଭୁବନେଶ୍ବର ମେୟର । କେମିତି ଚାଲିଛି ଗୋଶାଳା ? ଗୋରୁ, ଗାଈ, ବାଛୁରୀ, ଷଣ୍ଢଙ୍କ ପାଇଁ କେମିତି ରହିଛି ପରିବେଶ ? ସ୍ବାସ୍ଥ୍ଯକର ପରିବେଶ ଉପଯୋଗୀ ବାସସ୍ଥାନ, ଖାଦ୍ଯ, ପାନୀୟ ଠିକଠାକା ରହିଛି ନା ନାହିଁ ଯାଞ୍ଚ  କରିଥିଲେ ମେୟର । ବିଏମସିର ସବୁଜ ଅଭିଯାନ କାର୍ଯ୍ଯକ୍ରମରେ ଗୋଶାଳା ପରିସରକୁ ସାମଲି କରାଯିବ । ଗ୍ରୀଷ୍ମଦାଉରୁ ରକ୍ଷା କରିବା ପାଇଁ ବୃକ୍ଷରୋପଣ କରାୟିବ । ଏପରିକି ବଜ୍ରପାତରୁ ଗାଈ, ଗୋରୁ, ବାଛୁରୀ ଓ ଷଣ୍ଢଙ୍କୁ ରକ୍ଷା କରିବା ଲାଗି ତାଳ ଗଛ ପୋତାଯିବ । ଯାହା ଫଳରେ ସେଠାରେ କାମ କରୁଥିବା ଲୋକ ଓ ପଶୁଙ୍କ ଜୀବନ ରକ୍ଷା ପାଇ ପାରିବ । ପଥୁରିଆ ଜାଗା ଥିବାରୁ ଗାଈ, ଷଣ୍ଢକୁ ଗରମ ହେଉଛି । ଅନ୍ଯପଟେ କ୍ରିଷ୍ଣା ଗୋଶାଳା ପରିସର ସମ୍ମୁଖରେ ଥିବା ୨୫ ଏକର ଜାଗାରେ ଆଉ ଟିକେ ଉନ୍ନତ ଧରଣର ଗୋଶାଳା ହେବ । ଆଉ ୩ଟି ନୂଆ ସେଡ଼ ତିଆରି କରିବା ସହିତ ବୃକ୍ଷରୋପଣ କରାଯିବ । ଏହାସହ ଗାଈ, ଗୋରୁ, ବାଛୁରୀ, ଷଣ୍ଢଙ୍କ ମୃତ୍ୟୁ ହେଲେ ସେମାନଙ୍କ ଲାଗି ଅନ୍ତିମ ସଂସ୍କାର ପାଇଁ କ୍ରିମେସନ ସେଣ୍ଟର ମଧ୍ଯ ତିଆରି ହେବ ବୋଲି ମେୟର କହିଛନ୍ତି ।

ସେପଟେ ଜାମୁକୋଳିର କ୍ରିଷ୍ଣା ଗୋଶାଳାରେ ୬୨୫ ଗାଈ, ଗୋରୁ, ଷଣ୍ଢ ଓ ବାଛୁରୀ ଅଛନ୍ତି । କେବଳ ୪୩୪ଟି ଷଣ୍ଢ ରହିଛନ୍ତି । ପ୍ରତ୍ଯେକ ପିଛା ୨୦୦ ଟଙ୍କା ଖର୍ଚ୍ଚ କରାଯାଉଛି । ଘାସ, ପରିବା, ଚୋକଡ, ଦାନା ଖାଇବା ଲାଗି ଦିଆଯାଉଛି । ୨ ଜଣ ଡାକ୍ତର, ଫାର୍ମାସିଷ୍ଟ ଓ ୪୬ ଜଣ କେୟାର ଟେକର ଅଛନ୍ତି । ଏଠାରୁ ବାହାରୁ ଥିବା ଗୋବରରୁ ଖତ ବାହାରୁଛି । ଏହାସହ ବିଏମସି ଚାହିଁଲେ ଗୋବରୁ କମ୍ପୋଷ୍ଟ କରି ବ୍ଯବହାର କରି ପାରିବ । ସେପଟେ ରାଜଧାନୀରେ ରାସ୍ତା ଉପରେ ବୁଲୁଛନ୍ତି ବୁଲାଗୋରୁ ଓ ଷଣ୍ଢ । ଯାହା ଫଳରେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବା ସହ ଦୁର୍ଘଟଣାର ଶିକାର ହେଉଛନ୍ତି । ସ୍ପେଶାଲ ଡ୍ରାଇଭରେ ୬୦ଟି ବୁଲା ଗୋରୁ ଓ ଷଣ୍ଢକୁ ଉଦ୍ଦାର କରାଯାଇଛି ।

ଏବେବି ରାଜଧାନୀରେ ଏକାଧିକ ରାସ୍ତାରେ ବୁଲା ଗାଈ ଓ ଷଣ୍ଢଙ୍କ ଶୋଇ ରହୁଥିବା ଦେଖିବାକୁ ମିଳୁଛି । କିଛି ଅମାନିଆ ମାଲିକ ଖାଦ୍ଯ ଦେବାକୁ ପଡିବ ବୋଲି ଗାଈଙ୍କୁ ରାଜରାସ୍ତାକୁ ଛାଡି ଦେଉଛନ୍ତି । ଦିନ ହେଉ କି ରାତି ଯାତାୟତ ବେଳେ ଲୋକେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ଘଟୁଛି ।