ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବାକୁ ଉଦ୍ୟମ

ଗଜପତି: ନଡ଼ା ଛପର ଘର ସାଙ୍ଗକୁ ଗୋବର ଲିପା କାନ୍ଥ । ଆଉ ତା’ ଉପରେ ଅଙ୍କା ହୋଇଛି ଅଦିବାସୀଙ୍କ ପାରମ୍ପରିକ ଚିତ୍ରକଳା । ସାଇତି ହୋଇଛି ରହିଛି ପୁରାତନ ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଜନଜାତିଙ୍କ ବେଶଭୂଷା ସହିତ ଜଡ଼ିତ ସାମଗ୍ରୀ । ଲୋକକଳାରେ ବ୍ୟବହୃତ ବାଦ୍ୟଯନ୍ତ୍ରକୁ ସୁରକ୍ଷିତ ରଖାଯାଉଛି । ଆଧୁନିକତାକୁ ଆଦରି ନେଇ ଲୋପ ପାଇଯାଉଥିବା ଆଦିବାସୀଙ୍କ ପରମ୍ପରାକୁ ସୁରକ୍ଷିତ ରଖିବାକୁ ଉଦ୍ୟମ ହୋଇଛି । ଆଗାମୀ ପୀଢି ପାଇଁ ଏସବୁକୁ ସଂଗ୍ରହାଳୟରେ ସାଇତି ରଖିବାକୁ ପଦକ୍ଷେପ ନେଇଛି ଗଜପତି ଜିଲ୍ଲା ପ୍ରଶାସନ ।

ଗଜପତି ଜିଲ୍ଲାର ସେରଙ୍ଗ ଓ ଚନ୍ଦ୍ରଗିରିରେ ସଂଗ୍ରହାଳୟ ନିର୍ମାଣ କରି ଆଦିବାସୀ ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ ଅନେକ ସ୍ମୃତିକୁ ପ୍ରଦର୍ଶିତ କରାଯାଉଛି । ସେହିପରି ସେଞ୍ଚୁରିଆନ ବିଶ୍ବ ବିଦ୍ୟାଳୟରେ ଏନେଇ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଛି । ଆଗକୁ ଜିଲ୍ଲାରେ ଆହୁରି ୨୫ଟି ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ବିକାଶ ପଥରେ ଆଗେଇ ଚାଲିଛନ୍ତି ଆଦିବାସୀ ଜନଜାତି । ଏବେ ବି ପରମ୍ପରାକୁ ଉଜ୍ଜିବିତ ରଖିଛନ୍ତି । ଆଉ ଏହାକୁ ସୁରକ୍ଷିତ ରଖିବାକୁ ଶପଥ ନେଇଛି ଜିଲ୍ଲା ପ୍ରଶାସନ ।