ଶିକ୍ଷା ବ୍ୟବସ୍ଥାର ବିଳକ ଚିତ୍ର: ଖାଲି ପଡିଛି ହଜାର ହାଜର ପଦବୀ

ଭୁବନେଶ୍ବର: ପଦାରେ ପଡ଼ିଲା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ପ୍ରଧାନଶିକ୍ଷକଠାରୁ ଆରମ୍ଭ କରି ସ୍କୁଲ ଜଗୁଆଳି ଯାଏଁ ଖାଲ ପଡ଼ିଛି ହଜାର ହଜାର ପଦବୀ । ନୂଆ ସରକାର ଦେଇ ପାରି ନାହାନ୍ତି ନିଯୁକ୍ତି । ଶିକ୍ଷକ ମରୁଡ଼ିରେ ଚାଲିଛି ମାଟ୍ରିକ ପରୀକ୍ଷା । ପ୍ରଧାନଶିକ୍ଷକ ନଥିବା ହାଇସ୍କୁଲ ଗୁଡ଼ିକରେ କେମିତି ପରିଚାଳନା ହେଉଥିବ ମାଟ୍ରିକ ପରୀକ୍ଷା, ସେ ନେଇ ଶିକ୍ଷକ ଓ ଅଭିଭାବକ ସଂଘ ପ୍ରଶ୍ନ ଉଠାଇଛନ୍ତି । ହାଇକୋର୍ଟରେ ଝୁଲୁଥିବା ନିଯୁକ୍ତି ମାମଲାରେ ସରକାରଙ୍କ ଅଭିମୁଖ୍ୟ ଏବେ କାଠଗଡ଼ାରେ ଠିଆ ହୋଇଛି । ସେପଟେ ରାଜ୍ୟ ସରକାରଙ୍କ ଚିରାଚରିତ ଉତ୍ତର, ଖୁବ୍ ଶୀଘ୍ର ପୂରଣ ହେବ ଖାଲି ପଦବୀ ।
କେଉଁଠି ହିନ୍ଦୀ ଶିକ୍ଷକ ପଢାଉଛନ୍ତି ଗଣିତ ତ ଆଉ କେଉଁଠି ବିଜ୍ଞାନ ଶିକ୍ଷକ ସାହିତ୍ୟ ପଢାଉଛନ୍ତି । ଏପରି ବିକଳ ସ୍ଥିତି ଦେଇ ଗତି କରୁଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା । କାରଣ ମୁରବିବିହୀନ ଭାବେ ଚାଲିଛି ହାଇସ୍କୁଲ । ଖାଲି ପଡ଼ିଛି ହଜାର ହଜାର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ପଦବୀ । ରାଜ୍ୟ ସରକାର ଦେଇ ପାରୁ ନାହାନ୍ତି ନୂଆ ନିଯୁକ୍ତି । ଫେବୃଆରୀ ଏକ ତାରିଖ ଯାଏଁ ମିଳିଥିବା ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୨୨୫୦ ପ୍ରଧାନଶିକ୍ଷକ ପଦ ଖାଲି ପଡ଼ିଛି । ଗଜପତି ଜିଲ୍ଲାରେ ସର୍ବାଧିକ ୧୯୯ ପ୍ରଧାନଶିକ୍ଷକ ପଦ ପୂରଣ କରିବାରେ ବିଫଳ ହୋଇଛନ୍ତି ସରକାର । ସେହିପରି କୋରାପୁଟ ଜିଲ୍ଲାରେ ୧୪୨ ଓ ବଲାଙ୍ଗୀରରେ ୧୧୪ ପଦ ଖାଲି ପଡ଼ିଛି । ଆଶ୍ଚର୍ଯ୍ୟର କଥା ହେଉଛି ଦଶମ ବୋର୍ଡ ଅଫିସ ଯେଉଁ କଟକ ଜିଲ୍ଲାରେ ରହିଛି, ସେ ଏହି ତାଲିକାରେ ୧୨୬ ଖାଲି ପଦ ସହ ତୃତୀୟ ସ୍ଥାନରେ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ୭୧ ପ୍ରଧାନଶିକ୍ଷକ ପଦ ପୂରଣ ହୋଇ ପାରିନି ।
ସେହିପରି ସାରା ରାଜ୍ୟରେ ୫୧୯୯ ସହକାରୀ ଶିକ୍ଷକ ପଦ ଏଯାଏଁ ଖାଲି ପଡ଼ିଛି । ଏହି ତାଲିକାରେ ୫୮୨ ଖାଲି ପଦ ସହ ଶୀର୍ଷରେ ରହିଛି କଟକ ଜିଲ୍ଲା । ସେପଟେ ଅଣଶିକ୍ଷକ ଭାବେ ୬୧୧ କିରାଣୀ, ୫୦୮୮ ପିଅନ ଓ ୧୫୫୦ ରାତ୍ରୀ ଜଗୁଆଳି ପଦ ଖାଲି ପଡ଼ିଛି । ତାଲିକା ଆହୁରି ଅଧିକ ବଢିପାରେ । କାରଣ କିଛି ଶିକ୍ଷକଙ୍କ ଦେହାନ୍ତ ହେବା ସହ ଫେବୃଆରୀ ଶେଷ ସୁଦ୍ଧା ଅନେକ ଅବସର ନେଇଛନ୍ତି । ଏତେ ଖାଲି ପଦବୀ ସହ କିପରି ଚାଲିଛି ପାଠପଢା ? ପ୍ରଧାନଶିକ୍ଷକ ବିନା କେମିତି ଚାଲିଛି ସ୍କୁଲ ଓ କେମିତି ଚାଲିଛି ପରୀକ୍ଷା କେନ୍ଦ୍ର ? ଏତେ ଅଭାବ ଭିତରେ ଠିକ୍ ଭାବେ ହୋଇ ପାରିବ ତ ମାଟ୍ରିକ ଖାତା ମୂଲ୍ୟାୟନ ? ନୂଆ ସରକାରଙ୍କ ଶିକ୍ଷାର ବିକାଶ ନେଇ କୌଣସି ନିର୍ଦ୍ଦିଷ୍ଟ ଯୋଜନା ନଥିବାରୁ ଏପରି ଅବ୍ୟବସ୍ଥା ଘଟୁଥିବା ଅଭିଯୋଗ କରିଛି ଓଷ୍ଟା । ଏହି ୮ ମାସ ଭିତରେ କେବଳ ପ୍ରଚାର ସର୍ବସ୍ବ ହୋଇ ସରକାର ରହିଯାଇଛି । ଏମିତି ସ୍ଥିତିରେ ଶିକ୍ଷାର ଅଭାବୀ ଦିଗକୁ ଅଣଦେଖା କରାଯାଉଥିବାରୁ ନିଜ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ ।
ଶୀଘ୍ର ପଦବୀ ପୂରଣ ନେଇ ସରକାର ବାରମ୍ବାର କହୁଛନ୍ତି । ହେଲେ ହାଇକୋର୍ଟରେ ଅଟକି ଥିବା ନିଯୁକ୍ତି ମାମଲାକୁ ରଫାଦଫା କରିବାକୁ ସରକାର କି ଆଭିମୁଖ୍ୟ ନେଉଛନ୍ତି, ତାକୁ ନେଇ ସନ୍ଦେହ ଉପୁଜିଛି । ଶିକ୍ଷକ କ୍ଷେତ୍ରରେ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇ ନଥିବା ପରିଲକ୍ଷିତ ହୋଇଛି । ଯେଉଁ କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ନିଯୁକ୍ତିକୁ କ୍ୟାବିନେଟ ମୋହର ମାରିଥିଲା, ତାର ସମସ୍ତ ନିଯୁକ୍ତି ପ୍ରକ୍ରିୟା ପୂର୍ବ ନବୀନ ପଟ୍ଟନାୟକ ସରକାର ସାରି ଦେଇଥିଲେ । ଏପରି ସ୍ଥିତିରେ କିଛି ନୂଆ ନକରି ପୁରୁଣାର ଚିତ୍ର ବଦଳାଇଲେ ପରିଚାଳନା ବ୍ୟବସ୍ଥାରେ ସୁଧାର ଆସିବାର ସମ୍ଭାବନା ନାହିଁ । ବେଳ ହୁଁ ନସଜାଡିଲେ ଆଗକୁ ସ୍ଥିତି ଅଣାୟତ୍ତ ହେବା ନିଶ୍ଚିତ ।