ବିନା ଆଲୋଚନାରେ ନିଷ୍ପତ୍ତିକୁ ଶିକ୍ଷାବିତ ଓ ଶିକ୍ଷକ ସଂଗଠନର ବିରୋଧ

ଭୁବନେଶ୍ୱର : ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବା ପରେ ଶିକ୍ଷାରେ ନୂଆ ନୂଆ ବ୍ୟବସ୍ଥା ଲାଗୁ କରି ଚାଲିଛନ୍ତି ସରକାର। ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟୀକା ଠୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟରେ ବହୁ ନୂଆ ବ୍ୟବସ୍ଥା ପ୍ରଚଳନ ହେଉଛି। ବିନା ଆଲୋଚନାରେ ଏସବୁ କରାଯାଉ ଥିବାରୁ ଏହାକୁ ଶିକ୍ଷାବିତ ଓ ଶିକ୍ଷକ ସଂଗଠନ ବିରୋଧ କରୁଛନ୍ତି। କିନ୍ତୁ ସେସବୁ ଭିତରେ ଆଉ ଏକ ବଡ଼ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ସରକାର। ଖୁବ ଶୀଘ୍ର ରାଜ୍ୟର ଦଶମ ବୋର୍ଡ ପରୀକ୍ଷା କରୁଥିବା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା କରୁଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଗୋଟିଏ କରିବାକୁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ଅନ୍ୟ ରାଜ୍ୟରେ ଯେଭଳି ଗୋଟିଏ ବୋର୍ଡ ଦ୍ୱାରା ଦଶମ ଓ ଦ୍ଵାଦଶ ପରୀକ୍ଷା ପରିଚାଳନା ହେଉଛି ସେଭଳି ଓଡ଼ିଶାରେ କରାଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି କୁହାଯାଇଛି।
ସେହିଭଳି ଧନ୍ଦାମୂଳକ ଶିକ୍ଷାକୁ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଉଥିବାରୁ ରାଜ୍ୟରେ ଡିଜିଟାଲ ଏଜୁକେଶନକୁ ଗୁରୁତ୍ଵ ଦିଆଯାଇଛି। ଏହି ଶିକ୍ଷାକୁ ହାସଲ କରି ପିଲାମାନେ ନିଜ ଗୋଡ଼ରେ ନିଜେ ଛିଡା ହେବେ। ନୂତନ ଜାତୀୟ ଶିକ୍ଷା ନୀତି ଅଧୀନରେ ଚଳିତ ବର୍ଷ ପରିବେଶ ସନ୍ତୁଳନ, ସୁରକ୍ଷା ବିଷୟକୁ ବାଧ୍ୟତାମୂଳକ କରାଯାଇଛି। ଏହାଛଡା ୭ ଟି ଧନ୍ଦାମୂଳକ ବିଷୟକୁ ପାଠ୍ୟକ୍ରମରେ ରଖାଯାଇଛି ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ। ସେପଟେ ଦୁଇଟି ବୋର୍ଡର ମିଶ୍ରଣ ହେଲେ ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି କହିଛନ୍ତି ବିଏସଇ ସଭାପତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୩ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଦୁଇଟି ବୋର୍ଡକୁ ଗୋଟିଏ କରିବାକୁ ନିଷ୍ପତି ହେବା ଏହାର ସୁଫଳ ସବୁ ଛାତ୍ରଛାତ୍ରୀ ପାଇବେ ବୋଲି ମତ ରଖିଛନ୍ତି।