ପାଠପଢ଼ାର ତଦାରଖ କରିବା ସହ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ପଚାରି ବୁଝୁଛନ୍ତି ଶିକ୍ଷାମନ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧାର ବିଭିନ୍ନ ସ୍କୁଲରେ ପାଠପଢ଼ାର ତଦାରଖ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ ଅଚାନକ ଖୋର୍ଦ୍ଧାର ବିଜେବି ହାଇସ୍କୁଲ ଏବଂ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ପହଞ୍ଚି ଉପସ୍ଥାନ ଖାତା ଦେଖିବା ସହ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିଥିଲେ । ରାଜ୍ୟରେ ହାରାହାରି ୬୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲକୁ ଆସି ପାଠପଢା ତଦାରଖ କରୁଛନ୍ତି ମନ୍ତ୍ରୀ । ତେଣୁ ପିଲାମାନଙ୍କ ମଧ୍ୟରେ ଉତ୍ସାହ ବଢୁଛି । ତେବେ ଶିକ୍ଷକ ମାନେ ଏସ୍‌ଓପି ମାନି ଶିକ୍ଷାଦାନ କରୁଛନ୍ତି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି  ।

ଅନ୍ୟପକ୍ଷରେ ପରୀକ୍ଷା ପାଖେଇ ଆସୁଥିବାରୁ ଲଗାତାର ୧୦୦ଦିନ ଯାଏଁ ପାଠପଢା ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ତେଣୁ ରବିବାର ମଧ୍ୟ ସ୍କୁଲରେ ପାଠପଢା ଯାଉଛି । ଓଡ଼ିଶା ଇତିହାସରେ ପ୍ରଥମଥର ଲାଗି ରବିବାର ଦିନ ବିଧିବଦ୍ଧ ଭାବେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇଛି । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାନୁରୂପ ହୋଇ ନଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପିଲାଙ୍କୁ ପଢ଼ାଇଛନ୍ତି । ପାଠପଢ଼ା ଯାଞ୍ଚ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ଏହା ଅଧୀନ ବିଭିନ୍ନ ନିର୍ଦେଶାଳୟର ୩୦ଜଣ ଅଧିକାରୀ ଦିନତମାମ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ।

Leave a Reply