ବିପଦରେ ସ୍କୁଲ ଶିକ୍ଷା, ପ୍ରାଥମିକ ଏବଂ ସଂସ୍କୃତ ଶିକ୍ଷକ ସମସ୍ତେ ସଂକଟରେ

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷାରୁ ସ୍କିମଟିକ ନିଯୁକ୍ତି ହଟାଇ ନିୟମିତ ଶିକ୍ଷକ ନିଯୁକ୍ତି ପାଇଁ ବିଭାଗ ପକ୍ଷରୁ ଚିଠି ହେଲା। ସ୍କୁଲ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ନିଷ୍ପତ୍ତି ହେଲା। କିନ୍ତୁ ନିଷ୍ପତ୍ତି ହେବାର ଦିନ କେଇଟା ନ ପୁରୁଣୁ ଏହାକୁ ପ୍ରତ୍ୟାହାର କରାଗଲା। ଯାହାକୁ ନେଇ ଏବେ ପ୍ରାଥମିକ ଶିକ୍ଷକ ମାନଙ୍କ ଠାରୁ ଆରମ୍ଭ କରି ସାରା ରାଜ୍ୟରେ ଅସନ୍ତୋଷର ସ୍ୱରକୁ ଜନ୍ମ ଦେଇଛି। ଠିକ ସେଭଳି ଢଙ୍ଗରେ ଧନ୍ଦାମୂଳକ ଶିକ୍ଷା ନାଁ ରେ ସ୍କୁଲ ଗୁଡିକରେ ଦେବ ଭାଷା ସଂସ୍କୃତକୁ ଲୋପ କରିବାର ଯୋଜନା କରାଯାଉଥିବା ଅଭିଯୋଗ ହେଲା। କିନ୍ତୁ ସେପଟେ ସରକାର ସାରା ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକରେ ସଂସ୍କୃତ ସପ୍ତାହ ପାଳନ ପାଇଁ ଚିଠି କରିଛନ୍ତି। ତେଣୁ ସରକାରଙ୍କ ଏସବୁ ଦ୍ଵନ୍ଦତ୍ମକ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷକ ସଂଘ ଓ ରାଜନୈତିକ ସଂଗଠନ। ସଂସ୍କୃତ ଭାଷାକୁ ହତାଦର କରାଯାଉଥିବା ଅଭିଯୋଗ ହେବା ପରେ ସଂସ୍କୃତ ସପ୍ତାହ ପାଳନ ପାଇଁ ଚିଠି କରାଯିବା ଏକ ଲୋକଦେଖାଣିଆ ନିଷ୍ପତ୍ତି ବୋଲି ଅଭିଯୋଗ ହୋଇଛି। ସମାଜର ମେରୁଦଣ୍ଡ ଶିକ୍ଷା ସହିତ ଏମିତି ଲୁଚକାଳି ଖେଳ ନ ଖେଳିବାକୁ ରାଜନୈତିକ ଦଳ ଓ ଶିକ୍ଷକ ସଂଗଠନ ଚେତାଇ ଦେଇଛନ୍ତି। ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ସ୍କିମାଟିକ ବ୍ୟବସ୍ଥା ହଟାଇବା ନିଷ୍ପତ୍ତିକୁ ପୁନର୍ବାର ଲାଗୁ କରା ନ ଗଲେ ଆଗାମୀ ବିଧାନସଭା ଅଧିବେଶନରେ ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି।
ସେପଟେ ରାଜ୍ୟର ସ୍କୁଲ ଗୁଡିକରେ ସଂସ୍କୃତ ଶିକ୍ଷାକୁ ସରକାର ଜାଣିଶୁଣି ଦୁର୍ବଳ କରୁଥିବାର ବଡ଼ ଅଭିଯୋଗ ଆସିଛି। କିନ୍ତୁ ଏହି ଅଭିଯୋଗ ଆସିବା କ୍ଷଣି ସରକାର ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକରେ ସଂସ୍କୃତ ସପ୍ତାହ ପାଳନର ଚିଠି କରିଛନ୍ତି। ଯାହାକୁ କଡା ସମାଲୋଚନା କରିଛନ୍ତି ସଂସ୍କୃତ ବିଶାରଦ ମାନେ। ସଂସ୍କୃତର ପ୍ରଚାର ପ୍ରସାର କଥା କହୁଥିବା ସରକାର ପ୍ରକୃତରେ ଆନ୍ତରିକତାର ସହ ଏହା କରନ୍ତୁ ବୋଲି ଦାବି ହୋଇଛି। ସେପଟେ ଶାସକ ଦଳର କହିବା କଥା ରାଜ୍ୟର ଶିକ୍ଷା, ଭାଷା , ସାହିତ୍ୟ ଓ ସଂସ୍କୃତ ଆଦି ସବୁକୁ ସମୃଦ୍ଧ କରିବାକୁ ଉଦ୍ୟମ କରାଯାଉଛି। ରାଜ୍ୟରେ ବିଜେପି ସରକାର ଆସିବାର ବର୍ଷକରୁ ଅଧିକ ବିତି ଯାଇଥିଲେ ମଧ୍ୟ ସବୁ ପ୍ରସଙ୍ଗରେ ଦ୍ଵନ୍ଦଆତ୍ମକ ନିଷ୍ପତ୍ତି ବିକାଶମୂଳକ କାର୍ଯ୍ୟକୁ ପଛକୁ ଠେଲି ଦେଉଛି ଓ ଲୋକଙ୍କ ମନରେ ଘୋର ଅସନ୍ତୋଷ ସୃଷ୍ଟି କରୁଛି ବୋଲି ଅଭିଯୋଗ ହୋଇଛି।