ପାଠକ ବାପ-ପୁଅଙ୍କୁ ଜେରା କରିବ ଇଡି, ଖୋଲିବ ୧୪ କୋଟି ଜମାର ଖିଅ
1 min readଭୁବନେଶ୍ୱର: ଆକାଶଙ୍କ ଆକାଉଣ୍ଟକୁ ଏତେ ଟଙ୍କା ଆସିଲା କେମିତି ? କେଉଁ ଆଧାରରେ କିଏ ଆକାଶଙ୍କ ଆକାଉଣ୍ଟରେ ଜମା କରିଛି କୋଟି କୋଟି ଟଙ୍କା ? ଟଙ୍କାର ପ୍ରକୃତ ସ୍ରୋତ କଣ ? ନା ବେଆଇନ୍ ନେଣଦେଣ ହୋଇଛି ? ଏବେ ଏସବୁର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଘରୋଇ ବ୍ୟାଙ୍କରେ ଥିବା ଆକାଶ ପାଠକଙ୍କ ତିନିଗୋଟି ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଛି । ଏହି ଜମାରେ ସନ୍ଦିଗ୍ଧ/ବେନାମୀ କାରବାର ନେଇ ଭିଜିଲାନ୍ସ ସନ୍ଦେହ କରି ଇଡି ଓ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟକୁ ତଦନ୍ତ ପାଇଁ ଚିଠି ଲେଖିଥିଲା ।
ଭିଜିଲାନ୍ସର ଚିଠି ହସ୍ତଗତ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି- ଭିଜିଲାନ୍ସ ପକ୍ଷରୁ ଚିଠି ହସ୍ତଗତ ହୋଇଛି । ତଥ୍ୟ ଆଧାରରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ । ଜମା ଟଙ୍କାର ସ୍ରୋତ ଜାଣିବା ପାଇଁ ବାପ-ପୁଅଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବ । ଭିଜିଲାନ୍ସ ଚିଠି ପାଇବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ଇଡି । ବେଆଇନ୍ ଆର୍ଥିକ କାରବାର ଉପରେ ଫୋକସ୍ କରି ଇଡି ଖୋଳତାଡ଼ କରିବ । ପାଠକ ବାପ-ପୁଅଙ୍କ ସହ ସମ୍ପୃକ୍ତ ଲୋକଙ୍କୁ ମଧ୍ୟ ଇଡି ସମନ ଜାରି କରିବ ।
ଆକାଶଙ୍କ ଆକାଉଣ୍ଟରେ ୯ କୋଟି ୪୮ ଲକ୍ଷ ଟଙ୍କାର ବଡ଼ ପରିମାଣର ଅର୍ଥ ସିଧାସଳଖ ଜମା ହୋଇଥିବା ବେଳେ ୫ କୋଟି ୨୯ ଲକ୍ଷ ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି । ଏହିପରି ଭାବେ ଆକାଶଙ୍କ ଆକାଉଣ୍ଟରେ ମୋଟ ଜମା ହୋଇଛି ୧୪ କୋଟି ୭୭ ଲକ୍ଷ ଟଙ୍କା । ବିପୁଳ ଟଙ୍କା ଜମା ହୋଇଥିଲେ ବି ଟଙ୍କାଟିଏ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି ନିଜକୁ ଟାଟା ମୋଟର୍ସ ଏମଡି ବୋଲାଉଥିବା ଆକାଶ ପାଠକ । ରେଡ୍ ବେଳେ ଏ ସମ୍ପର୍କରେ ଭିଜିଲାନ୍ସ ଜାଣିବାକୁ ପାଇଥିଲା । ଏହାପରେ ଆର୍ଥିକ କାରବାର ଖୋଳତାଡ଼ ଲାଗି ଭିଜିଲାନ୍ସ କେନ୍ଦ୍ରୀୟ ସଂସ୍ଥା ଇଡି ଓ ଆୟକର ବିଭାଗକୁ ଚିଠି ଲେଖିଥିଲା ।