ଲାଲୁ ଯାଦବଙ୍କ ଆବାସରେ ED ଟିମ୍‌, ଶନିବାର ସୁଦ୍ଧା ପହଞ୍ଚିବାକୁ ସମନ୍‌

1 min read

ପାଟନା: ବିହାରରେ ଶାସନ ଗାଦିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାରି ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଜଣେ ଅଧିକାରୀ ଲାଲୁ ପ୍ରସାଦ ଯାଦବଙ୍କ ଆବାସରେ ପହଞ୍ଚିଛନ୍ତି  । ଅଧିକାରୀ ଜଣକ ହାତରେ କିଛି କାଗଜପତ୍ର ନେଇ ଭିତରକୁ ଯାଉଥିବା ରିପୋର୍ଟ କହୁଛି  । ସେହିପରି ଇଡି ଟିମ ରାବଡି ଆବାସକୁ ବି ସମନ ଦେବା ପାଇଁ ପହଞ୍ଚିଥିବା ଶୁଣିବାକୁ ମିଳୁଛି  ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ ରାବଡି ଆବାସରେ ପହଞ୍ଚି ଲାଲୁ ପରିବାରକୁ ନୋଟିସ ଦେଇଛନ୍ତି  । ଇଡି ଅଧିକାରୀମାନେ ଲାଲୁ ଯାଦବ ଓ ତେଜସ୍ବୀ ଯାଦବଙ୍କୁ ଶନିବାର ସୁଦ୍ଧା ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଜାରି କରିଛନ୍ତି  । ଲ୍ୟାଣ୍ଡ ଫର ଜବ୍‌ ସ୍କାମ ଅର୍ଥାତ୍‌ ଜମି ବଦଳରେ ରେଳ ବିଭାଗରେ ଚାକିରି ଦୁର୍ନୀତିରେ ଲାଲୁଙ୍କ ପରିବାରକୁ ନୋଟିସ ଜାରି କରାଯାଇଥିବା ଅନୁମାନ କରାଯାଉଛି  ।

ସେହିପରି ଜମି ବଦଳରେ ଜବ୍‌ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନରେ ନିଜର ଆଦେଶ ସୁରକ୍ଷିତ ରଖିଛନ୍ତି ରାଉଜ ଏଭେନ୍ୟୁ କୋର୍ଟ  । ଏଥିରେ ଲାଲୁ ଯାଦବଙ୍କ ପତ୍ନୀ ରାବଡି ଦେବୀ, ଝିଅ ମିସା ଭାରତୀଙ୍କ ସମେତ ସାତ ଜଣଙ୍କୁ ଇଡି ଅଭିଯୁକ୍ତ ଦର୍ଶାଇଛନ୍ତି  । ସେପଟେ ସିବିଆଇ ବି ଏହି ଘୋଟାଲାରେ ଜଡିତ ମାମଲାରେ ନିଜର ପକ୍ଷ ରଖିଛନ୍ତି  ।