ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲା, ପଞ୍ଚମ ଥର ଜେରାର ସମ୍ମୁଖୀନ ହେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲା । ପଞ୍ଚମ ଥର ଜେରାର ସମ୍ମୁଖୀନ କଂଗ୍ରେସ ନେତା ରାହୁଲ ଗାନ୍ଧି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ କ୍ରମେ ଆଜି ରାହୁଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ । ଇଡି ଅଧିକାରୀଙ୍କ ବିଭିନ୍ନ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ ରାହୁଲ । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ ଚତୁର୍ଥ ଥର ଲାଗି ହାଜର ହୋଇଥିଲେ ରାହୁଲ । ରାହୁଲଙ୍କ ଜେରା ଏବଂ ଦଳୀୟ କର୍ମୀ ଓ ନେତାଙ୍କ ଉପରେ ପୋଲିସର ବଳପ୍ରୟୋଗକୁ ବିରୋଧ କରିଆସୁଛି କଂଗ୍ରେସ । ଗତକାଲି ଏନେଇ ଏକ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତିଙ୍କଠାରେ ଫେରାଦ ହୋଇଥିଲେ । ମନି ଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ରାହୁଲଙ୍କ ବୟାନ ରେକର୍ଡ କରାଯାଇଥିଲା । ରାହୁଲ ପ୍ରସଙ୍ଗ ନେଇ ଆଜି ମଧ୍ୟ କଂଗ୍ରେସ କର୍ମୀ ବିକ୍ଷୋଭ କରିଛନ୍ତି । ଆସନ୍ତା ୨୩ରେ ଇଡିରେ ହାଜର ହେବାକୁ ସୋନିଆ ଗାନ୍ଧିଙ୍କୁ ବି ସମନ ଜାରି କରିସାରିଛି ଇଡି ।