ଆଜି ବିଆରଏସ ନେତ୍ରୀ କେ. କବିତାଙ୍କୁ ଦ୍ବିତୀୟ ଥର ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତି ମାମଲାରେ ଆଜି ବିଆରଏସ ନେତ୍ରୀ କେ. କବିତାଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ୧୧ ତାରିଖରେ କବିତାଙ୍କୁ ଇଡି ଦୀର୍ଘ ୯ଘଣ୍ଟା ଧରି ଜେରା କରିଥିବାବେଳେ ଆଜି ପୁଣି ଥରେ କବିତାଙ୍କୁ କରାଯିବା ମାରାଥନ ଜେରା । ଆପର ବିଜୟ ନାୟାରଙ୍କୁ ସାକ୍ଷାତ କରିବା, ଦିଲ୍ଲୀର ଅନେକ ରିଟେଲ ଜୋନକୁ ନିୟନ୍ତ୍ରଣରେ ରଖିଥିବା ଇଣ୍ଡୋସ୍ପିରିଟ ଗ୍ରୁପର ସମୀର ମହେନ୍ଦ୍ରୁଙ୍କ ସହ ସମ୍ପର୍କ, ଆପର ନେତାଙ୍କୁ ୧୦୦କୋଟି ଟଙ୍କା ଅଗ୍ରୀମ ପ୍ରଦାନ ଆଦି ଅଭିଯୋଗ ସମ୍ପର୍କରେ ଜେରା କରିବା ଇଡି ।

ପୂର୍ବରୁ ଏହି ମାମଲାରେ ଗିରଫ ହୋଇସାରିଛନ୍ତି ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ ପିଲାଇ ଓ ଆପର କମ୍ୟୁନିକେସନ ଇନ ଚାର୍ଜ ବିଜୟ ନାୟାର । ସାଉଥ ଗ୍ରୁପ ଲବି ଜରିଆରେ ୧୦୦କୋଟି ଟଙ୍କାର କିକବ୍ୟାକ ନେଇ ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛି ଇଡି । ସାଉଥ ଗ୍ରୁପରେ ଅରବିନ୍ଦ ଫାର୍ମାର ପ୍ରମୋଟର ଶରତ ରେଡୀ, ଓ୍ବାଇଏସଆର କଂଗ୍ରେସ ନେତା ମାଗୁନ୍ତା ଶ୍ରୀନିବାସୁଲୁ ରେଡୀ, ତାଙ୍କ ପୁଅ ରାଘବ ମାଗୁନ୍ତା ଓ କବିତାଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ସମ୍ପୃକ୍ତ ଥିବା ଇଡି ଦର୍ଶାଉଛି ।

କବିତାଙ୍କ ବେନାମି ନିବେଶକୁ ପିଲାଇ ଦେଖାଶୁଣା କରୁଥିବା କହିଛି ଇଡି । ସେପଟେ ଇଡି ସମନକୁ ଚାଲେଞ୍ଜ କରିବା ସହ ଗିରଫଦାରୀ ଏଡାଇବା ଲାଗି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କବିତା । ଆସନ୍ତା ୨୪ରେ ମାମଲାର ଶୁଣାଣି ଲାଗି ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ ଓ ଜଷ୍ଟିସ ପିଏସ ନରସିଂହ୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ମତି ପ୍ରକାଶ କରିଛନ୍ତି । ଗତକାଲି କବିତାଙ୍କ ପୂର୍ବତନ ଅଡିଟର ବୁଚିବାବୁଙ୍କୁ ଇଡି ଜେରା କରିଥିବାବେଳେ ପୁରୁଣା ମଦନୀତିକୁ ଆଉ ୬ ମାସ ବଢାଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।