ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିଙ୍କ ସମନ

ନୂଆଦିଲ୍ଲୀ: ପାନାମା ପେପର୍ସ ଲିକ୍ ମାମଲାରେ ବିଶ୍ବ ସୁନ୍ଦରୀ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାନାମା ପେପର୍ସ ଲିକ୍ ମାମଲାରେ ଐଶ୍ବର୍ଯ୍ୟାଙ୍କୁ ପଚରା ଉଚରା ପାଇଁ ନୋଟିସ ଜାରି କରିଛି ଇଡି । ଏହି ମାମଲାରେ ପୂର୍ବରୁ ତାଙ୍କୁ ଦୁଇ ଦୁଇ ଥର ସମନ ଜାରି କରାଯାଇଥିଲା । ମାତ୍ର ନୋଟିସକୁ ସ୍ଥଗିତ ରଖିବାକୁ ପାନାମା ପେପର୍ସ ଯାଞ୍ଚ କରୁଥିବା ସ୍ପେଶାଲ ଟିମକୁ ନିବେଦନ କରିଥିଲେ ଐଶ୍ବର୍ଯ୍ୟା ।
ପାନାମା ପେପର୍ସ ଲିକ୍ ମାମଲାରେ ମୋସାକ୍ ଫୋନସେକା ନାମକ ଏକ କମ୍ପାନୀର ଲିଗାଲ ଡକୁମେଣ୍ଟ ସାର୍ବଜନୀନ ହୋଇଥିଲା । ଏହି ତଥ୍ୟ ଅନୁଯାୟୀ ୪୨୪ ଜଣ ଭାରତୀୟଙ୍କର ବିଦେଶୀ ବ୍ୟାଙ୍କ ଖାତାରେ ଟଙ୍କା ଥିବା ଜଣାପଡ଼ିଥିଲା । ଲିଷ୍ଟରେ କେତେଜଣ ରାଜନେତାଙ୍କ ସମେତ କେତେଜଣ ଫଲ୍ମ ତାରକାଙ୍କ ନାଁ ମଧ୍ୟ ରହିଥିଲା । ତାଲିକାରେ ଐଶ୍ବର୍ଯ୍ୟା ରାୟଙ୍କ ସମେତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ସମେତ ସୁପ୍ରିମକୋର୍ଟ ଆଇନଜୀବୀ ହରିଶ ସାଲବେ, ପତାଳକ ବ୍ୟବସାୟୀ ବିଜୟ ମାଲ୍ୟା, ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ ଇକବାଲ ମିର୍ଚ୍ଚି ମଧ୍ୟ ରହିଥିଲେ । ପେପର୍ସ ଲିକ୍ ହେବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଯାହାପରେ ଏହାର ତଦନ୍ତ ଲାଗି ମଲ୍ଟି ଏଜେନ୍ସି ଟିମ୍ ଗଠନ କରିଥିଲେ କେନ୍ଦ୍ର ସରକାର ।