ଫର୍ମୁଲା-ଇ ରେସ ମାମଲା: କେ.ଟି. ରାମାରାଓଙ୍କ ସମେତ ତିନି ଜଣଙ୍କୁ ଇଡିର ସମନ
1 min readନୂଆଦିଲ୍ଲୀ: ଫର୍ମୁଲା-ଇ ରେସକୁ ନେଇ ବଢ଼ିଲା ଅଡୁଆ । ତିନି ଜଣଙ୍କୁ ସମନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳା ତଥା ଇଡି । ଭାରତ ରାଷ୍ଟ୍ର ସମିତର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ମନ୍ତ୍ରୀ କେ.ଟି. ରାମାରାଓ, ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ କୁମାର ଏବଂ ହାଇଦ୍ରାବାଦ ମେଟ୍ରୋପଲିଟାନ ବିକାଶ କର୍ତ୍ତୃପକ୍ଷର ପୂର୍ବତନ ଚିଫ ଇଞ୍ଜିନିୟର ବିଏଲଏନ ରେଡ୍ଡୀଙ୍କ ବିରୋଧରେ ସମନ ଜାରି କରିଛି ଇଡି ।
ଗତ ୨୦୨୩ ଫେବୃଆରୀରେ ହୋଇଥିଲା ଫର୍ମୁଲା-ଇ ରେସ । ଏଥିରେ ୫୫ କୋଟି ଟଙ୍କା ବ୍ୟୟ ହୋଇଥିଲା । ହେଲେ ଏଥିରେ ବ୍ଯାପକ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଆସନ୍ତା ଜାନୁଆରୀ ୭ରେ ଇଡିରେ ହାଜର ହେବେ କେଟି ରାମାରାଓ । ସେହିପରି ଜାନୁଆରୀ ୨ରେ ଅରବିନ୍ଦ ଏବଂ ୩ରେ ରେଡ୍ଡୀ ହାଜର ହେବେ ।
ଏହି ବହୁ ଚର୍ଚ୍ଚିତ ମାମଲାରେ ୩ ଜଣଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲା ରୁଜୁ କରିଥିଲା ଇଡି । ବେଆଇନ ଅର୍ଥ କାରବାର ଆଇନର ବିଭିନ୍ନ ଧାରା ଅନୁସାରେ ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ ରିପୋର୍ଟ ବା ଇସିଆଇଆର ପଞ୍ଜିକୃତ ହୋଇଥିଲା । କେଟି ରାମାରାଓ ହେଉଛନ୍ତି ତେଲଙ୍ଗାନାର ପୂର୍ବତନ ମୁଖ୍ଯମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପୁଅ। ପୂର୍ବତନ ବିଆରଏସ ସରକାର ଅମଳରେ ହାଇଦ୍ରାବାଦରେ ବିନା ଅନୁମତିରେ ଫୁର୍ମୁଲା-ଇ ରେସ୍ କରାଯାଇଥିଲା । ଏଥିପାଇଁ ବିପୁଳ ମାତ୍ରାରେ ବୈଦେଶିକ ମୁଦ୍ରା ସମେତ ୫୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ସେପଟେ କେଟିଆର କହିଛନ୍ତି, ମେଟ୍ରୋପଲିଟାନ ବିକାଶ କର୍ତ୍ତୃପକ୍ଷଙ୍କ ଆକାଉଣ୍ଟ ଇଣ୍ଡିଆନ ଓଭରସିଜ ବ୍ଯାଙ୍କରେ ରହିଛି । ସେହି ଆକାଉଣ୍ଟରୁ ଟଙ୍କା ପ୍ରଦାନ କରାଯାଇଥିଲା ।