ଆକ୍ସନ ମୋଡରେ ଇଡି, ସିଲ୍ କଲା ଦିଲ୍ଲୀର ନ୍ୟାସନାଲ ହେରାଲ୍ଡ ଅଫିସ

1 min read

ନୂଆଦିଲ୍ଲୀ: କଂଗ୍ରେସ ମୁଖପତ୍ର ନ୍ୟାସନାଲ ହେରାଲ୍ଡ ଅଫିସ ସିଲ୍ କଲା ଇଡି । ନ୍ୟାସନାଲ ହେରାଲ୍ଡ  ଦୁର୍ନୀତି  ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହା ବଡ଼ କାର୍ଯ୍ୟାନୁଷ୍ଠାନ। ତେବେ ବର୍ତ୍ମାନଠୁ ଇଡିର ବିନା ଅନୁମତିରେ ନ୍ୟାସନାଲ ହେରାଲ୍ଡ  ଅଫିସ ଖୋଲାଯାଇପାରିବ ନାହିଁ। ଇଡିରଏଭଳି ନିଷ୍ପତ୍ତି ପରେ କଂଗ୍ରେସ ଅଫିସ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ କଂଗ୍ରେସ ଅଫିସକୁ ରାସ୍ତା ମଧ୍ୟ ସିଲ୍ କରାଯାଇଛି।

ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ପକ୍ଷରୁ ନ୍ୟାସନାଲ ହେରାଲ୍ଡ ଅଫିସ ଚଢ଼ଉ ହୋଇଥିଲା ।  ଯାହାକୁ କଂଗ୍ରେସ ରାଜନୈତିକ ପ୍ରତିଶୋଧମୂଳଳ କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲା। ତେବେ ଚଢ଼ଉର ୨୪ ଘଣ୍ଟା ଭିତରେ ଇଡ଼ି ଏହି ଅଫିସରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ଲଗାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନ୍ୟାସନାଲ ହେରାଲ୍ଡ,,ଆସୋସିଏଟ୍ ଜର୍ଣ୍ଣାଲ ଲିମିଟେଡ୍ ଓ ୟଙ୍ଗ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ହୋଇଥିବା ଅର୍ଥ ଦେଣନେଣ ସନ୍ଦେହାସ୍ପଦ ଥିଲା ବୋଲି ଅଭିଯୋଗ ହେଉଛି । ପ୍ରଥମେ ଏହି ମାମଲାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଦାଲତ ଯାଇଥିଲେ । ଅଦାଲତ ମାମଲାର ତଦନ୍ତ ପାଇଁ ଆଦେଶ ଦେଇଥିଲେ । ତେବେ ଏହି ମାମଲାରେ ଇଡି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପଚରା ଉଚରା କରିଛି । ଯାହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ସତ୍ୟାଗ୍ରହ କରାଯାଉଛି ।