ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କ ପୈତୃକ ଘରେ ରେଡ

ନନ୍ଦିଘୋଷ ବ୍ୟୁରୋ : ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା। କୋଲକାତାର ବିଭିନ୍ନ ସ୍ଥାନରେ ଛାନବିନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ କରୁଛି ଇଡି । ମେଡିକାଲର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କ ବାପା ସତ୍ଯ ପ୍ରକାଶ ଘୋଷଙ୍କ ଘରେ ଏହି ରେଡ୍ ହୋଇଛି । ଉତ୍ତର ୨୪ ପରଗଣା ଜିଲ୍ଲାସ୍ଥିତ ଚିନାର ପାର୍କ ଅଞ୍ଚଳର ମଲ୍ଲିକ ବାଗାନ ହାତୀଆରାରେ ଥିବା ସନ୍ଦୀପଙ୍କ ପୈତୃକ ଘରେ ଇଡି ଅଧିକାରୀ ରେଡ୍ କରିଛନ୍ତି। ରେଡ ବେଳେ ସେ ଘରେ ନଥିବାରୁ ତାଲା କାରିଗରଙ୍କୁ ଡାକି ନକଲି ଚାବି ତିଆରି କରି ଘର ଖୋଲାଯାଇଛି। ଗତ ଅଗଷ୍ଟ ୯ ତାରିଖରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାର ଏକମାସ ପରେ ଉଭୟ ସିବିଆଇ ଓ ଇଡି ପକ୍ଷରୁ ଛାନବିନ ଜାରି ରହିଛି ।

ଗତ ସେପ୍ଟେମ୍ବର ୬ରେ ସନ୍ଦୀପ ଘୋଷ ଓ ଅନ୍ଯ ତିନି ସହଯୋଗୀଙ୍କ ଘରେ ବି ରେଡ କରିଥିଲା ଇଡି । ଏହି ରେଡ ବେଳେ ଅନେକ ଡିଜିଟାଲ ତଥ୍ଯ ସଂଗ୍ରହ କରାଯାଇଥିଲା। ସେପଟେ ଆସନ୍ତା ୨୩ ଯାଏ ବିଚାର ବିଭାଗୀୟ ହେପାଜତକୁ ଯାଇଛନ୍ତି ସନ୍ଦୀପ । ସେହିପରି ସନ୍ଦୀପଙ୍କ ସିକ୍ଯୁରିଟି ଅଫିସର ଅଫସର ଅଲ୍ଲୀ, ମେଡିକାଲ ଯନ୍ତ୍ରପାତି ଭେଣ୍ଡର ବିପ୍ଳବ ସିଂଗା ଓ ଫାର୍ମାସୀ ଦୋକାନୀ ମାଲିକ ସୁମନ ହାଜରାଙ୍କୁ ବି ୨୩ ଯାଏ ବିଚାର ବିଭାଗୀୟ ହେପାଜତକୁ ପଠାଇଛି ସ୍ବତନ୍ତ୍ର ସିବିଆଇ କୋର୍ଟ । ଗତ ସେପ୍ଟେମ୍ବର ୨ରେ ସନ୍ଦୀପଙ୍କୁ ଗିରଫ କରିଥିଲା ସିବିଆଇ । ଆର୍ଥିକ ଅନିୟମିତତା ମାମଲାର ତଦନ୍ତ ଭାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି ହାତରୁ କାଢି ସିବିଆଇକୁ ଦେବା ଲାଗି ରାଜ୍ଯ ସରକାରଙ୍କୁ ଗତ ଅଗଷ୍ଟ ୨୩ରେ ନିର୍ଦ୍ଦେଶ ଦେଇଥିଲେ କଲିକତା ହାଇକୋର୍ଟ ।

ନଜର ପକାନ୍ତୁ