ଝାଡ଼ଖଣ୍ଡ ଓ ରାଜସ୍ଥାନରେ ଇଡିର ବଡ଼ଧରଣର ରେଡ୍

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ଓ ରାଜସ୍ଥାନରେ ଇଡିର ବଡ଼ଧରଣର ରେଡ୍। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମିଡିଆ ଆଡଭାଇଜରଙ୍କ ଠିକଣା ସମେତ ୧୦ଟି ସ୍ଥାନରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବେଆଇନ ଖଣି ଖନନ ସହ ଅର୍ଥ ହେରଫେର ମାମଲାରେ ଏକାଧିକ ସ୍ଥାନରେ ଚାଲିଛି ଇଡିର ଏହି ଚଢାଉ।

ମୁଖ୍ୟମନ୍ତ୍ରୀଙ୍କ ପ୍ରେସ୍ ଆଡଭାଇଜର ଅଭିଶେଷ ପ୍ରସାଦଙ୍ଗ ଘରେ ରେଡ୍ ହୋଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଲିଙ୍କରେ ଅନେକ ପ୍ରମୁଖ ଅଧିକାରୀଙ୍କ ଘରେ ମଧ୍ୟ ରେଡ୍ ହୋଇଛି। ଝାଡ଼ଖଣ୍ଡ ସାହିବଗଂଜ ଜିଲ୍ଲାପାଳ ରାମ ନିବାସଙ୍କ ଘରେ ମଧ୍ୟ ଇଡି ରେଡ୍ କରିଛି। ରାମ ନିବାସଙ୍କ ରାଜସ୍ଥାନରେ ଥିବା ପୈତୃକ ବାସଭବନରେ ମଧ୍ୟ ଚଢାଉ ହୋଇଛି। ଏହାସହ ହଜାରୀବାଗ ଡିଏସପି ହେମନ୍ତ ଦୁବେଙ୍କ ଘରେ ମଧ୍ୟ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ୩ ବ୍ୟକ୍ତିଙ୍କ ଅନେକ ମଧ୍ୟସ୍ଥିଙ୍କ ଘରେ ମଧ୍ୟ ଇଡି ରେଡ୍ କରିଛି।

ପୂର୍ବରୁ ହେମନ୍ତଙ୍କୁ ୭ ଥର ସମନ ଜାର କରିସାରିଛି ଇଡି । ଏହା ପରେ ମଧ୍ୟ ଇଡିରେ ହାଜର ହୋଇନାହାନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ମାମଲାରେ ବର୍ତ୍ତମାନ ସୁଦ୍ଧା ୧୪ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୦୧୧ ବ୍ୟାଚର ଆଇଏଏସ ଅଫିସର ଛବି ରଂଜନ ମଧ୍ୟ ଅଛନ୍ତି । ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅନ୍ୟ ଏକ ଅର୍ଥ ହେରଫେର ମାମଲାରେ ପୂର୍ବରୁ ସିବିଆଇ ପଚରାଉଚରା କରିଥିଲା। ଗତବର୍ଷ ନଭେମ୍ବରରେ ସୋରେନଙ୍କୁ ପଚରାଉରା କରିଥିଲା ସିବିଆଇ।