ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ଵାଜଙ୍କ ଘରେ ଇଡି ରେଡ୍
1 min read
ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ଵାଜଙ୍କ ଘରେ ଇଡି ରେଡ୍ । ହସ୍ପିଟାଲ ନିର୍ମାଣରେ ଦୁର୍ନୀତି ହୋଇଥିବାର ଅଭିଯୋଗ କରି ଏହି ରେଡ୍ ହୋଇଛି। ସୌରଭ ଭରଦ୍ଵାଜ ଯେତେବେଳେ ଦିଲ୍ଲୀର ସ୍ଵାସ୍ଥ୍ୟମନ୍ତ୍ରୀ ଥିଲେ, ସେହି ସମୟରେ ହସ୍ପିଟାଲ ନିର୍ମାଣରେ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି। ସୌରଭଙ୍କ ବାସଭବନ ସମେତ ୧୩ଟି ସ୍ଥାନରେ ଇଡି ପକ୍ଷରୁ ରେଡ୍ କରାଯାଉଛି। ୨୦୧୮-୨୦୧୯ରେ ଆପ ନେତୃତ୍ୱାଧୀନ ଦିଲ୍ଲୀ ସରକାର ୨୪ଟି ହସ୍ପିଟାଲ ନିର୍ମାଣ ପାଇଁ ୫୫୯୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ICU ହସ୍ପିଟାଲ ଛଅ ମାସରେ ସମାପ୍ତ ହେବାର କଥା ଥିଲା, କିନ୍ତୁ ତିନି ବର୍ଷ ପରେ ମଧ୍ୟ କାମ ଅସମ୍ପୂର୍ଣ୍ଣ ରହିଲା। ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ତ୍ୱେ, ମାତ୍ର ୫୦ପ୍ରତିଶତ କାମ ସମାପ୍ତ ହୋଇଛି ବୋଲି କୁହାଯାଇଛି। କାମରେ ଅଗ୍ରଗତି ନ ହୋଇ LNJP ହସ୍ପିଟାଲର ବଜେଟ ୪୮୮ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୧୩୫ କୋଟି ଟଙ୍କା ହୋଇଛି। ଅନେକ ସ୍ଥାନରେ ବିନା ଅନୁମୋଦନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଠିକାଦାରଙ୍କ ଭୂମିକା ସନ୍ଦେହଜନକ ବୋଲି ଜଣାପଡ଼ିଛି। ହସ୍ପିଟାଲ ସୂଚନା ପରିଚାଳନା ପ୍ରଣାଳୀ (HIMS) ୨୦୧୬ ମସିହାରୁ ବିଚାରାଧୀନ ଅଛି, ଯେଉଁଥିରେ ଜାଣିଶୁଣି ବିଳମ୍ବ କରାଯାଉଥିବା ଅଭିଯୋଗ ହୋଇଛି। ଭରଦ୍ୱାଜଙ୍କ ବ୍ୟତୀତ ଏଏପି ନେତା ସତ୍ୟେନ୍ଦ୍ର ଜୈନ ମଧ୍ୟ ଏହି ତଦନ୍ତ ପରିସରଭୁକ୍ତ ଅଛନ୍ତି।