ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ED ରେଡ୍

ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରେଡ୍ କରାଯାଇଛି । ୧୫ଟି ସ୍ଥାନରେ ରେଡ୍ ମରାଯାଇଥିବା ସୂତ୍ରରୁ ଜଣାପଡ଼ିଛି । ଏହି ମାମଲା ଛତିଶଗଡ଼ ମଦ ଘୋଟାଲା ସହ ଜଡ଼ିତ ବୋଲି କୁହାଯାଉଛି । ଏହି ମାମଲାର ଯାଞ୍ଚ ସମୟରେ ବଘେଲଙ୍କ ପୁଅ ଚୈତନ୍ୟଙ୍କ ନାମ ସାମ୍ନାକୁ ଆସିଥିବା କୁହାଯାଉଛି । ଏହି ମାମଲାରେ ଇଡି ପୂର୍ବରୁ କିଛି ବଡ଼ ଆକ୍ସନ ନେଇଥିଲା । ଗତବର୍ଷ ମେ ମାସରେ ଏଜେନ୍ସି ତରଫରୁ ପୂର୍ବତନ ଆଇଏଏସ ଅଧିକାରୀ ଅନିଲ ଟୁଟେଜା ଓ ରାୟପୁରର ମେୟର ଏଜାଜ ଟେବରଙ୍କ ଭାଇ ଅନଓ୍ବର ଟେବରଙ୍କ ସମେତ କିଛି ଅଭିଯୁକ୍ତଙ୍କର ପାଖାପାଖି ୧୮ଟି ଚଳନ୍ତି ଓ ୧୬୧ଟି ଅଚଳନ୍ତି ସମ୍ପତ୍ତି ଅସ୍ଥାୟ୍ ଭାବେ ଜବତ କରାଯାଇଥିଲା । ଜବତ ସମ୍ପତ୍ତିର ମୂଲ୍ୟ ୨୦୫.୪୯ କୋଟି ହେବ ବୋଲି କୁହାଯାଉଛି ।
ଇଡି ମୁତାବକ, ଛତିଶଗଡ଼ ମଦ ଘୋଟାଲା ଦ୍ବାରା ରାଜ୍ୟ ରାଜକୋଷର ବହୁମାତ୍ରାରେ କ୍ଷତି ହୋଇଥିଲା । ମଦ ସିଣ୍ଡିକେଟ ଅପରାଧ ଦ୍ବାରା ୨,୧୦୦ କୋଟି ଟଙ୍କାରୁ ଅଧିକ ହେରଫେର ହୋଇଥିବା କୁହାଯାଉଛି । ଏହି ମାମଲାରେ ରାଜ୍ୟ ସରକାରଙ୍କ କିଛି ଅଧିକାରୀ ଓ ବ୍ୟବସାୟୀଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ଇଡି ଛତିଶଗଡ଼ ମଦ ଘୋଟାଲା ମାମଲାର ଯାଞ୍ଚ କରୁଛି । ଏହାକୁ ନେଇ ଇଡି, ଏସିବିରେ ଏଫଆଇଆର ଦାୟର ହୋଇଛି । ୨ ହଜାର କୋଟିରୁ ଅଧିକ ଟଙ୍କାର ଘୋଟାଲା ହୋଇଥିବା ଦାୟର ହୋଇଥିବା ଏଫଆଇଆରରେ କୁହାଯାଇଛି ।