ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ଇଡି ସମନ୍

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅଙ୍କୁ ଇଡି ସମନ୍। ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଶୁକ୍ରବାର ପଚରାଉଚରା ପାଇଁ ବୈଭବଙ୍କୁ ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବୈଦେଶିକ ମୁଦ୍ରା ପ୍ରବନ୍ଧନ ଅଧିନିୟମ ଉଲ୍ଲଂଘନ ଅଭିଯୋଗରେ ବୈଭବଙ୍କୁ ସମନ କରିଛି ଇଡି । ଏହାସହ ରାଜସ୍ଥାନ କଂଗ୍ରେସ ଗୋବିନ୍ଦ ସିଂ ଡୋଟାସରାଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରାଜସ୍ଥାନର ପୃଥକ ପୃଥକ ୧୧ଟି ସ୍ଥାନରେ ରେଡ୍ କରିଛି ଇଡି । ଜୟପୁରରେ ଥିବା ସରକାରୀ ବାସଭବନ ସହ ଅନ୍ୟ କିଛି ସ୍ଥାନରେ ରେଡ୍ ହୋଇଛି ।

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଏହି ଚଢାଉ ଚାଲିଛି । ଅର୍ଥ ହେରଫେର ମାମଲାରେ ଇଡି ଏହି ରେଡ୍ କରୁଛି । ରାଜସ୍ଥାନର ମହୁଆ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଗୋବିନ୍ଦ ସିଂ ଡୋଟାସରା। ରାଜସ୍ଥାନର ଶିକ୍ଷାମନ୍ତ୍ରୀ ଥିଲେ ଗୋବିନ୍ଦ ସିଂ। ଇଡିର ରେଡକୁ ନେଇ ବିଜେପିକୁ ସମାଲୋଚନା କରିଛି ଇଡି। ଆସନ୍ତା ୨୩ ନଭେମ୍ବରରେ ରାଜସ୍ଥାନରେ ଭୋଟ ହେବାକୁ ଥିବାବେଳେ ଜାଣିଶୁଣି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ପୂର୍ବରୁ ମଧ୍ୟ ଦିଲ୍ଲୀରେ ଇଡି ପକ୍ଷରୁ ବଡ଼ ବଡ଼ ନେତାଙ୍କୁ ନୋଟିସ ମଧ୍ୟ ପଠାଯାଇଛି । ତେବେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ଇଡିର ନୋଟିସ ହେବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି ।

କଂଗ୍ରେସ ନେତାଙ୍କ ଉପରେ ଇଡି ରେଡର ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ । ଇଡି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି କଂଗ୍ରେସ ସମର୍ଥନକ। ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି ଜାଣିଶୁଣି କଂଗ୍ରେସ ନେତାଙ୍କ ଉପରେ ଚଢାଉ କରୁଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ସମର୍ଥକ । ଦେଶର ଜନତାଙ୍କ ପାଖରେ ବିଜେପି ବିଶ୍ବାସ ହରାଉଥିବାରୁ ଇଡି, ସିବିଆଇ ଏବଂ ଆଇଟି ଭଳି କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ।