ରାହୁଲଙ୍କ ଅନୁରୋଧ ରଖିଲା ଇଡି: ଆସନ୍ତାକାଲି ନୁହେଁ, ୨୦ ତାରିଖରେ ପୁଣି ପଚରାଉଚରା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅଡୁଆ ସରୁନି । ସୋନିଆ ଗାନ୍ଧିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଆସନ୍ତା ୨୦ ତାରିଖ ଯାଏଁ ତାଙ୍କୁ ଆଉ ପଚରାଉଚରା ନ କରିବାକୁ ଇଡିକୁ ଅନୁରୋଧ କରିଥିଲେ ରାହୁଲ । ରାହୁଲଙ୍କୁ ଲଗାତର ୩ ଦିନ ଜେରା କରିବା ପରେ ଆସନ୍ତାକାଲି ପୁଣି ହାଜର ହେବାକୁ ଇଡି ପକ୍ଷରୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ପରେ ଇଡି ରାହୁଲଙ୍କ ଅନୁରୋଧ ରକ୍ଷା କରିଥିବା ଜଣାପଡିଛି । ଗତକାଲି ବଦଳରେ ଆସନ୍ତା ୨୦ ତାରିଖରେ ରାହୁଲଙ୍କୁ ପୁଣି ପଚରାଉଚରା କରିବ ଇଡି । ବର୍ତ୍ତମାନ ସୁଦ୍ଧା ନ୍ୟାସନାଲ ହେରାଲଡ ମାମଲାରେ ରାହୁଲଙ୍କୁ ୩୦ରୁ ଅଧିକ ଘଣ୍ଟା ଜେରା କରିସାରିଛି ଇଡି ।

ସେପଟେ ଆଜି ମଧ୍ୟ ଇଡି ବିରୋଧରେ ଦେଶବ୍ୟାପୀ କଂଗ୍ରେସର ଧାରଣା ଓ ବିକ୍ଷୋଭ ଜାରି ରହିଥିଲା । କେନ୍ଦ୍ର ସରକାର ଆକ୍ରୋଶମୂଳକ ରାଜନୀତି କରି ବିରୋଧୀଙ୍କୁ ଦମନ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦଳୀୟ ନେତା । ପଞ୍ଜାବ, ଦିଲ୍ଲୀ, ବେଙ୍ଗାଳୁରୁରେ କଂଗ୍ରେସ କର୍ମୀ କରିଛନ୍ତି ବିକ୍ଷୋଭ । ସେପଟେ ଏଏଜଏଲ ପ୍ରସଙ୍ଗରେ ସ୍ବର୍ଗତ ମୋତିଲାଲ ଭୋରାଙ୍କୁ ରାହୁଲ ଦାୟୀ କରିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପୁଅ ଅରୁଣ ଭୋରା । ଏଜେଏଲ ଓ ୟଙ୍ଗ ଇଣ୍ଡିଆନ ସହ ସମ୍ପର୍କ କ୍ଷେତ୍ରରେ ବାପାଙ୍କ ଭୂମିକା ନଥିଲା ବୋଲି କହିଛନ୍ତି ଅରୁଣ ।