ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଇଡି ସମନ

ଶ୍ରୀନଗର: ନ୍ୟାସନାଲ କନଫରେନ୍ସର ମୁଖ୍ୟ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସମନ୍ କରିଛି ଇଡି । ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏସନର ଟଙ୍କା ହେରଫେର ମାମଲାରେ ତାଙ୍କୁ ଆଜି ହାଜର ହେବା ପାଇଁ ସମନ ଜାରି କରାଯାଇଛି । ୮୬ ବର୍ଷୀୟ ଫାରୁକ ଅବଦୁଲ୍ଲାଙ୍କୁ ଶ୍ରୀନଗରସ୍ଥିତ ଇଡି ଅଫିସରେ ହାଜର ହେବା ପାଇଁ କୁହାଯାଇଛି ।

ଜମ୍ମୁ ଓ କଶ୍ମୀର କ୍ରିକେଟ ସୋସିଏସନର ଟଙ୍କାକୁ ବେଆଇନ ଭାବେ କିଛି ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଅଭିଯୋଗ ରହିଛି । ଏନେଇ କ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କ ବିରୋଧରେ ସିବିଆଇ ତଦନ୍ତ ଜାରି ରହିଛି । ୨୦୦୧ରୁ ୨୦୧୨ ମଧ୍ୟରେ ଫାରୁକ୍ ଅବଦୁଲ୍ଲା ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏସନର ସଭାପତି ଥିଲେ।

ସେ ସମୟରେ ସେ ନିଜ ପଦର ଦୁରୂପଯୋଗ କରି ବେଆଇନ ନିଯୁକ୍ତି ଦେବା ସହ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଏନେଇ ସିବିଆଇ ଓ ଇଡି ପକ୍ଷରୁ ତଦନ୍ତ ଚାଲିଛି ।