ଜମି ବଦଳରେ ଚାକିରି ମାମଲାରେ ଆକ୍ସନ, ଲାଲୁ ପରିବାରର ୬ କୋଟିର ସମ୍ପତ୍ତି ଆଟାଚ୍ କଲା ଇଡି

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଆକ୍ସନ । ଲାଲୁ ଯାଦବଙ୍କ ପରିବାର ସହ ସମ୍ବନ୍ଧିତ ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହି ମାମଲାରେ ଆରଜେଡି ମୁଖିଆ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ପୂର୍ବରୁ ହିଁ ଯାଞ୍ଚର ସାମ୍ନା କରୁଛନ୍ତି । ନିକଟରେ ସିବିଆଇ ତିନିଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ସୂଚନା ମୁତାବକ, ଇଡି ଲାଲୁ ଯାଦବ ଏବଂ ତାଙ୍କ ପରିବାର ବିରୋଧରେ ଜମି ବଦଳରେ ଚାକିରି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଇଡି ଲାଲୁଙ୍କ ପରିବାରର ୬ କୋଟିର ସମ୍ପତ୍ତି ଆଟାଚ୍ କରିଛି । ସୂଚନାଥାଉକି, ରେଳବାଇରେ ଚାକିରି ବଦଳରେ ଲାଞ୍ଚ ଆକାରରେ ଜମି ନେବା ଅଭିଯୋଗ ମାମଲାରେ ସିବିଆଇ ତଦନ୍ତ କରୁଛି । ସେହିପରି ମନି ଲଣ୍ଡରିଂ ମାମଲାରେ ଇଡି ତଦନ୍ତ କରୁଛି । ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଦେଇଛି । ଏହି ମାମଲାରେ ଲାଲୁ ଯାଦବଙ୍କ ନିକଟତର ଓ ପୂର୍ବତନ ବିଧାୟକ ଭୋଲା ଯାଦବ ଏବଂ ହୃଦୟାନନ୍ଦ ଚୌଧୁରୀ ମଧ୍ୟ ଅଭିଯୁକ୍ତ ଅଛନ୍ତି । ଆରଜେଡି ନେତା ଲାଲୁ ଯାଦବଙ୍କ ଓଏସଡି ରହିଥିବା ଭୋଲା ଯାଦବଙ୍କୁ ସିବିଆଇ ୨୭ ଜୁଲାଇରେ ଗିରଫ କରିଥିଲା । ଭୋଲା ୨୦୦୪ରୁ ୨୦୦୯ ମଧ୍ୟରେ ତତ୍କାଳୀନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଓଏସଡି ଥିଲେ ।