ଆକ୍ସନ ମୋଡରେ ଇଡି: ୫୦ ଦିନରେ ୨ ମୁଖ୍ୟମନ୍ତ୍ରୀ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଝିଅ ଗିରଫ

ନୂଆଦିଲ୍ଲୀ: ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମଦ ନୀତି ମାମଲାରେ ଗିରଫ କରିଛି ଇଡି । ପ୍ରାୟ ଦୁଇ ଘଣ୍ଟା ପଚରାଉଚରା କରିବା ପରେ କେଜ୍ରିଓ୍ବାଲଙ୍କ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି । ତେବେ ଗତ ୫୦ ଦିନନ ମଧ୍ୟରେ ଇଡି ଦୁଇ ଜଣ ମୁଖ୍ୟମନ୍ତ୍ରୀ (ଅରବିନ୍ଦ କେଜ୍ରିଓ୍ବାଲ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ) ଏବଂ ଜଣେ ମୁଖ୍ୟମନ୍ତ୍ରୀଙ୍କ ଝିଅ କେ. କବିତାଙ୍କୁ ଗିରଫ କରିଛି । ଅର୍ଥାତ ତିନି ତିନି ଜଣ ବଡ଼ ନେତାଙ୍କୁ ଗିରଫ କରିଛି ଇଡି । କେଜ୍ରିଓ୍ବାଲ ଏବଂ କବିଥାଙ୍କ ମଦ ନୀତି ମାମଲାରେ ଏବଂ ହେମନ୍ତଙ୍କୁ ଜମି ଘୋଟାଲାରେ ମାମଲାରେ ଗିରଫ କରାଯାଇଛି ।

ଆମ ଆଦମୀ ପାର୍ଟି ନେତା ଆତିଶୀ କହିଛନ୍ତି, ଇଡି ଦ୍ବାରା ଗିରଫ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛୁ । ଆଜି ରାତିରେ ତୁରନ୍ତ ମାମଲାର ବିଚାର କରିବାକୁ ଦାବି କରିଛୁ । ଏପଟେ କେଜ୍ରିଓ୍ବାର ଗିରଫ ହୋଇଥିଲେ ବି ଇସ୍ତଫା ଦେବେ ନାହିଁ ବୋଲି ଦିଲ୍ଲୀ ଆପ୍ ବିଧାନସଭା ଅଧ୍ୟକ୍ଷ କହିଛନ୍ତି ।

ଇଡି କେଜ୍ରିଓ୍ବାଲଙ୍କ ଫୋନ ଜବତ କରି ନେଇଥିବା ବେଳେ ତାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । କେଜ୍ରିଓ୍ବାଲଙ୍କ ଘର ଆଗରେ ଆରଏଏଫଙ୍କୁ ମୁତୟନ କରାଯାଇଛି । ସେପଟେ ଇଡି କାର୍ଯ୍ୟାଳୟ ଆଗରେ ୧୪୪ ଧାରା ଜାରି କରାଯାଇଛି ।

୬ ଦିନ ପୂର୍ବରୁ କେ. କବିତା ହୋଇଥିଲେ ଗିରଫ

ଦିଲ୍ଲୀ ମଦ ନୀତି ମାମଲାରେ ୧୫ ମାର୍ଚ୍ଚକୁ ଇଡି ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କୁ ଗିରଫ କରିଥିଲା । କବିତାଙ୍କ ଗିରଫଦାରୀ ପୂର୍ବରୁ ଇଡି ତାଙ୍କ ହାଇଦ୍ରାବାଦ ଘରେ ରେଡ୍ଡ କରିଥିଲା । ଯାଞ୍ଚ ସମୟରେ ଇଡି ପ୍ରମାଣ ଏକାଠି କରିଥିଲା । ମଦ ଘୋଟାଲାରେ ମନିଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କ ପରେ ବଡ଼ ନେତା ଭାବେ କେ. କବିତା ଗିରଫ ହୋଇଥିଲେ ।

୩୧ ଜାନୁଆରୀରେ ଗିରଫ ହୋଇଥିଲେ ହେମନ୍ତ ସୋରେନ

ଏହା ପୂର୍ବରୁ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ୩୧ ଜାନୁଆରୀରେ ଗିରଫ କରିଥିଲା । ଜମି ଘୋଟାଲା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଗିରଫ କରିବା ପୂର୍ବରୁ ଇଡି ତାଙ୍କୁ ପ୍ରାୟ ୭ ଘଣ୍ଟା ପଚରାଉଚରା କରିଥିଲା ।