ଟିଏମସି ନେତା ମହୁଆଙ୍କ ବଢ଼ିଲା ଅଡୁଆ: ପୁଣି ମହୁଆଙ୍କ ନାଁରେ ଇଡିର ମାମଲା

ବ୍ୟୁରୋ ରିପୋର୍ଟ: ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କ ବଢ଼ିଲା ଅଡୁଆ। ମହୁଆଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଇଡି ମହୁଆଙ୍କ ବିରୋଧରେ ଦ୍ଵିତୀୟ ମାମଲା ରୁଜୁ କରିଛି। ପୂର୍ବରୁ ଏହି ପ୍ରସଙ୍ଗ ନେଇ ପ୍ରଥମ ମାମଲା ରୁଜୁ କରିଥିଲା ଇଡି। ଘଟଣାକୁ ନେଇ ବାରମ୍ବାର ସମନ ପରେ ମଧ୍ୟ ଇଡି ନିକଟରେ ହାଜର ହୋଇନଥିଲେ ମହୁଆ ମୈତ୍ର। ଦିଲ୍ଲୀ ଅଫିସରେ ହାଜର ହେବାକୁ ନୋଟିସ ଜାରି କରିଥିଲା ଇଡି।
ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ମଧ୍ୟ ଫେମା ଆଇନ ଅନୁସାରେ ସମନ ଜାରି କରିଛି ଇଡି। ଫେମା ଆଇନ ଉଲ୍ଲଂଘନ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଥିଲା। ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାରେ ସିବିଆଇ ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଚଳାଇଛି। ସଂସଦରୁ ବହିଷ୍କୃତ ହୋଇଛନ୍ତି ସାଂସଦ ମହୁଆ ମୈତ୍ର। ପୂର୍ବରୁ ସିବିଆଇ ମହୁଆଙ୍କ ଘର ଉପରେ ରେଡ୍ କରିଥିଲା। ପଶ୍ଚିମବଂଗର କ୍ରିଷ୍ଣାନଗର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ମହୁଆ ମୈତ୍ର।