୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଇଡିର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ
1 min read
ଭୁବନେଶ୍ବର: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଇଡିର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ। ଆଜି ଭୁବନେଶ୍ୱର CBI କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଜୁନ ୪ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ । ଜେରା ବେଳେ ଲାଞ୍ଚ ଟଙ୍କା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇ ନପାରିବାରୁ ଗିରଫ କଲା ସିବିଆଇ । ରାତି ତମାମ ଝାଳବୁହା ଜେରା କରିଥିଲା ସିବିଆଇ । ଚିନ୍ତନ ରଘୁବଂଶୀ ଓ ଜଣେ ମିଡିଲ ମ୍ୟାନଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା । ଲାଞ୍ଚ ନେବା ବେଳେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗତକାଲି ସିବିଆଇ ହାତରେ ଧରାପଡିଥିଲେ । ଚିନ୍ତନ ରଘୁବଂଶୀ ଓ ମିଡିଲମ୍ୟାନ ଭକ୍ତି ବେହେରା ଗତକାଲି ଖଣି ବ୍ୟବସାୟୀ ରୋହିତ ରଞ୍ଜନ ରାଉତଙ୍କ କେସ ରଫାଦଫା କରିବା ପାଇଁ ପ୍ରଥମେ ୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ । କିନ୍ତୁ ଏତେ ପରିମାଣର ଟଙ୍କା ସେ ଦେଇପାରିବେ ନାହିଁ ବୋଲି କହିବା ପରେ ୨ କୋଟି ଟଙ୍କା ଦେବାକୁ ଫାଇନାଲ୍ କରାଇଥିଲେ ନିଜେ ଚିନ୍ତନ ରଘୁବଂଶୀ ।
ଏନେଇ ନିଜ ଏତଲାରେ ସିବିଆଇରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ରୋହିତ । ପରେ ୫୦ ଲକ୍ଷ ଟଙ୍କା ଅଗ୍ରୀମ ନେଉଥିବା ବେଳେ ପଟିଆ ସ୍ଥିତ ଆପାର୍ଟମେଣ୍ଟରୁ ଲାଞ୍ଚଖୋର ବାବୁଙ୍କୁ ଧରିଥିଲା ସିବିଆଇ । ଢେଙ୍କାନାଳ ଅଞ୍ଚଳର ଖଣି ବ୍ୟବସାୟୀ ରୋହିତ ଏ ନେଇ ସିବିଆଇକୁ ସୂଚନା ଦେଇଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଚଢ଼ାଉ କରାଯାଇଥିଲା । ଗତ ଜାନୁଆରୀ ୮ ତାରିଖରେ ଖଣି ଦୁର୍ନୀତିକୁ କେନ୍ଦ୍ର କରି ରାଜ୍ୟରେ ଏକାଧିକ ସ୍ଥାନରେ ରେଡ ହୋଇଥିଲା । ସେହି ମାମଲାକୁ ଚାପିବା ପାଇଁ ୫ କୋଟି ଟଙ୍କାର ଡିଲ ହୋଇଥିଲା । ତା ଠାରୁ ମିଳିଥିବା ଆଉଟପୁଟ ଆଧାରରେ ଇଡି ଡେପୁଟି ଡାଇରେକ୍ଟରଙ୍କୁ କାବୁ କରିଥିଲା। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ପ୍ରିଭେନ୍ସନ ଅଫ କରପସନ ଆକ୍ଟ ୧୯୮୮ରେ ଇଡିର ଏହି ଡେପୁଟି ଡ଼ାଇରେକ୍ଟରଙ୍କୁ କୋର୍ଟଚାଲାଣ କରାଯାଇଛି ।