ନିର୍ବାଚନୀ ରାଜ୍ୟରେ ବିଜେପି ପୂର୍ବରୁ ଇଡି, ସିବିଆଇ ପହଞ୍ଚିଯାଏ: କେ. କବିତା

1 min read

ହାଇଦ୍ରାବାଦ: ଇଡିରେ ହାଜର ପୂର୍ବରୁ ମିଡିଆରେ ରିଆକ୍ସନ । ଇଡିର ତରବରିଆ ଡାକରାକୁ ନେଇ ବର୍ଷିଲେ କେ. କବିତା । କାହିଁକି ସପ୍ତାହେ ସମୟ ଦିଆଗଲାନି ବୋଲି ପ୍ରଶ୍ନ କରିଛନ୍ତି କବିତା ? ସର୍ଟ ନୋଟିସରେ ସମନ ପଛରେ ରାଜନୈତିକ ଅଭିସନ୍ଧି ବୋଲି କବିତା କହିଛନ୍ତି । ବିଆରଏସ୍ ନେତ୍ରୀଙ୍କୁ ସମନ ପରେ ରାଜନୀତି ପାରା ହାଇ ହୋଇଛି । ନିର୍ବାଚନୀ ରାଜ୍ୟରେ ବିଜେପି ପୂର୍ବରୁ ଇଡି, ସିବିଆଇ ପହଞ୍ଚିଯାଏ ବୋଲି କହିଛନ୍ତି କବିତା । ଆଗକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ରୀୟ ଏଜେନ୍ସିର ଉପସ୍ଥିତି ସାଧାରଣ କଥା । ବିଆରଏସର ୧୫ରୁ ୧୬ ମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି । ରାଜନୈତିକ ପ୍ରତିଦ୍ୱନ୍ଦ୍ବୀଙ୍କ ବିରୋଧରେ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରୁଛି ବୋଲି କବିତା କହିଛନ୍ତି ।

ଦିଲ୍ଲୀ ମଦ ନୀତିର ସାଉଥ କନେକ୍ସନ ! ଇଡି ଲେନ୍ସରେ କାହିଁକି କେସିଆରଙ୍କ ଝିଅ କେ କବିତା? ଲିକର ପଲିସିରେ ସମ୍ପୃକ୍ତି ନେଇ ଗିରଫ ହୋଇଥିବା ହାଇଦ୍ରାବାଦର ବ୍ୟବସାୟୀ ରାମଚନ୍ଦ୍ର ପିଲାୟୀଙ୍କ ସହ କବିତାଙ୍କ ଲିଙ୍କ୍ ନେଇ ଜେରା କରିବ ଇଡି । କବିତାଙ୍କ ଇଣ୍ଡୋସ୍ପିରିଟ କମ୍ପାନୀକୁ ଦିଲ୍ଲୀରେ ମଦ କାରବାର ପାଇଁ ଅନୁମତି ମିଳିବାରେ ଶହେ କୋଟିର କାରବାର ହୋଇଥିବା ଅଭିଯୋଗ ହୋଇଛି । କବିତାଙ୍କ କମ୍ପାନୀ ପାଇଁ ପିଲାୟୀ ଫ୍ରଣ୍ଟମ୍ୟାନ୍ ଭାବେ କାମ କରିଥିବା କହିଛନ୍ତି । ଯାହାକୁ ନେଇ ପିଲାୟୀ-କବିତାଙ୍କୁ ମୁହାଁମୁହିଁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୦ଟି ମୋବାଇଲରେ ସିମ୍ ପରିବର୍ତ୍ତନ, ଡିଜିଟାଲ ପ୍ରମାଣ ନଷ୍ଟ କରିବା ଯୋଗୁ ଇଡି ସ୍କାନରକୁ ଆସିଥିଲେ କବିତା । ୨୦୨୨ ଡିସେମ୍ବରରେ ସିବିଆଇ ତାଙ୍କୁ ଜେରା କରିଥିବା ବେଳେ ୨୦୨୩ ଜାନୁଆରୀରେ ଇଡି ଦାଖଲ କରିଥିବା ଦ୍ବିତୀୟ ଚାର୍ଜସିଟିରେ କବିତାଙ୍କ ନାଁ ରହିଥିଲା ।

ରାଜନୈତିକ ଆକ୍ରୋଶ ରଖି ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାରକୁ ବିରୋଧୀ ନିନ୍ଦା କରିଛନ୍ତି । ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ମନିଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିବା ବେଳେ ନିକଟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଗିରଫ କରିଛି ସିବିଆଇ । ଅଣବିଜେପି ଶାସିତ ରାଜ୍ୟରେ ସମାନ ଢଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ କେନ୍ଦ୍ର ବ୍ୟବହାର କରୁଥିବା ଅଭିଯୋଗ ହେଉଛି ।