ମନୀଷ ସିସୋଦିଆ ଓ ଅନ୍ୟ ଅଭିଯୁକ୍ତଙ୍କର ୫୨ କୋଟି ଟଙ୍କାର ସମ୍ପତ୍ତି ସିଜ୍‌

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଅନ୍ୟ ଅଭିଯୁକ୍ତଙ୍କର ୫୨ କୋଟି ଟଙ୍କାର ସମ୍ପତ୍ତି ସିଜ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଦିଆକୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜାମିନ ଦେବାକୁ ମନା କରିଦେଇଥିଲେ ।

ଏହି ଅପରାଧ ଗୁରୁତର ବୋଲି କୋର୍ଟ ଦର୍ଶାଇଛନ୍ତି । ୧୧ ଲକ୍ଷ ଟଙ୍କା ଥିବା ମନୀଷ ସିସୋଦିଆଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସିଜ କରାଯାଇଛି ।  ମନୀଷ ସିସୋଦିଆ ଏବଂ ତାଙ୍କ ପତ୍ନୀଙ୍କ ସହ ଜଡ଼ିତ ଦୁଇଟି ସମ୍ପତ୍ତି ସହ ଅନ୍ୟତମ ଅଭିଯୁକ୍ତ ରାଜେଶ ଯୋଶୀ, ଗୌତମ ମଲହୋତ୍ରାଙ୍କ ସମ୍ପତ୍ତି ମଧ୍ୟ ଆଟାଚ କରାଯାଇଛି । ମଦ ଦୁର୍ନୀତି ମାମଲାରେ ସିବିଆଇ ଓ ଇଡି ବାରମ୍ବାର ପଚରାଉଚରା କରିବା ପରେ ଦିଲ୍ଲୀ ଏକ୍ସାଇଜ୍‌ ପଲିସି ମାମଲାରେ ମନୀଷ ସିସୋଦିଆଙ୍କୁ ଫେବୃଆରୀରେ ଗିରଫ କରାଯାଇଥିଲା । ଏପଟେ ଆମ ଆଦମୀ ପାର୍ଟି ଏହାକୁ ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଛି  । ସିବିଆଇ ଯେଉଁ ସମ୍ପତ୍ତି ଆଟାଚ କରିଛି ତାହା ଦିଲ୍ଲୀ ମଦ ନୀତି ଆସିବା ପୂର୍ବରୁ ମନିଷ କିଣି ଥିଲେ ବୋଲି କହିଛି ଆମ ଆଦମୀ ପାର୍ଟି ।