spot_img

Latest Posts

ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ନୂଆଦିଲ୍ଲୀ: ଶେଷରେ ଗିରଫ ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଦୀର୍ଘ ୧୨ ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୧୦୦ କୋଟି ଟଙ୍କାର ବଳପୂର୍ବକ ଅର୍ଥ ଆଦାୟ ଅଭିଯ଼ୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଜେରା ଲାଗି ତାଙ୍କୁ ବାରମ୍ବାର ସମନ ଜାରି କରାଯାଉଥିବାସତ୍ତ୍ୱେ ସେ ଏହାକୁ ଅଗ୍ରାହ୍ୟ କରିଆସୁଥିଲେ। ବିଭିନ୍ନ ସାକ୍ଷୀ, ପ୍ରମାଣ ଓ ଅଭିଯ଼ୋଗକୁ ଆଧାର କରି ତାଙ୍କୁ ଗିରଫ କରାଯାଇଥିଲା। ମୁମ୍ବାଇର ବିଭିନ୍ନ ହୋଟେଲ ଓ ବାରରୁ ମାସିକ ୧୦୦ କୋଟି ଟଙ୍କାର ବଟି ଆଦାୟ ଲାଗି ଅନୀଲ ଦେଶମୁଖ ବହିଷ୍କୃତ ସହକାରୀ ପୋଲିସ ଇନସପେକ୍ଟର ସଚିନ ଭାଜେଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଅଭିଯୋଗ କରିଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ। ଏହି ଅଭିଯୋଗକୁ ପ୍ରଥମେ ଦେଶମୁଖ ଖଣ୍ଡନ କରିଥିବାବେଳେ ପରେ ବିଭିନ୍ନ ପ୍ରମାଣ ତାଙ୍କୁ ଅଡୁଆରେ ପକାଇଥିଲା।

ଗତ ଫେବ୍ରୁଆରୀ ୨୫ ତାରିଖରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ବୋଝେଇ ଗାଡି ଠାବ ପରେ ଏହି ସମସ୍ତ ରାକେଟର ପର୍ଦ୍ଦାଫାସ୍ ହୋଇଥିଲା। ଏହି ଘଟଣାରେ ମହାରାଷ୍ଟ୍ର ସରକାର ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କୁ ପଦରୁ ବାହାର କରିଦେଇଥିଲେ। ପରମବୀର ସିଂହଙ୍କ ଅଭିଯୋଗ କ୍ରମେ ଏହାର ସିବିଆଇ ତଦନ୍ତ ଲାଗି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଇଡିର ତଦନ୍ତ ଅନୁସାରେ ସଚିନ ଭାଜେ ଗତ ଡିସେମ୍ବର ୨୦୨୦ରୁ ଫେବ୍ରୁଆରୀ ୨୦୨୧ ମଧ୍ୟରେ ୪ କୋଟି ୭୦ଲକ୍ଷ ଟଙ୍କା ଆଦାୟ କରିଥିଲେ। ପରେ ଏହି ଅର୍ଥକୁ ଦେଶମୁଖଙ୍କୁ ଦିଆଯାଇଥିଲା। ଏହା ଛଡା ଦେଶମୁଖଙ୍କ ପରିବାର ମାଲିକାନାରେ ଥିବା ନାଗପୁରସ୍ଥିତ ଏକ ଦାତବ୍ୟ ସଂସ୍ଥା ଶ୍ରୀସାଇ ଶିକ୍ଷଣ ସଂସ୍ଥା ଦିଲ୍ଲୀଭିତ୍ତିକ ବିଭିନ୍ନ କମ୍ପାନୀଠାରୁ ୪ କୋଟି ୧୮ ଲକ୍ଷ ଟଙ୍କା ପାଇଥିଲା। ହାଓ୍ୱାଲା ଜରିଆରେ ଏହି ଅର୍ଥ ସଂସ୍ଥା ପ୍ରାପ୍ତ ହୋଇଥିଲା।

Latest Posts

Don't Miss