ଅର୍ପିତାଙ୍କ ଆଉ ଏକ ଘରୁ ପୁଣି ମିଳିଲା ପୁଳାପୁଳା ଟଙ୍କା
କୋଲକାତା: ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ମହା ଘୋଟାଲାର ତଦନ୍ତ ଯେତେ ଆଗଉଛି ସେହି ପରିମାଣରେ ମିଳିବାରେ ଲାଗିଛି ବିଡ଼ା ବିଡ଼ା ଟଙ୍କା । ଅର୍ପିତା ମୁଖାର୍ଜୀଙ୍କ ଯେଉଁ ଘରେ ଇଡି ପଶୁଛି ଦେଖୁଛି ଟଙ୍କାର ପାହାଡ଼ । ଆଜି ଅର୍ପିତାଙ୍କ ଦ୍ବିତୀୟ ଘରୁ ମଧ୍ୟ ଇଡି ହାତରେ ଲାଗିଛି ବିପୁଳ ପରିମାଣର ଟଙ୍କା । କେତେ ଟଙ୍କା ଇଡି ଜବତ କରିଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଏହାକୁ ଗଣିବାକୁ ମେସିନ ନିଆଯାଇଛି । ଯେଉଁଥିରୁ ଜଣାପଡିଛି ଟଙ୍କାର ପରିମାଣ ପୂର୍ବ ପରି ବହୁତ ଅଧିକ ରହିଛି ।
କ୍ଲବ ଟାଉନ ସ୍ଥିତ ଅର୍ପିତାଙ୍କ ଆପାର୍ଟମେଣ୍ଟରେ ବିପୁଳ ପରିମାଣର ଟଙ୍କା ଲୁଚାଇ ରଖାଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସୂଚନା ମିଳିଥିଲା । ଏହାକୁ ଆଧାର କରି ଇଡି ପକ୍ଷରୁ ଆପାର୍ଟମେଣ୍ଟରେ ଚଢାଉ କରାଯାଇଥିଲା ।
ସୂଚନାଯୋଗ୍ୟ, ଏହି ମହା ଘୋଟାଲାରେ ବର୍ତ୍ତମାନ ସୁଦ୍ଧା ଇଡି ୨୨ କୋଟି ଟଙ୍କା ଜବତ କରିଛି । ଏଥିରେ କେବଳ ଭାରତୀୟ ମୁଦ୍ରା ନୁହେଁ, ବିଦେଶୀ ମୁଦ୍ରା ବି ରହିଥିଲା । ଏହି ସମୟରେ ଅର୍ପିତାଙ୍କ ଘରୁ ୨୦ରୁ ଅଧିକ ଫୋନ ଓ ବିଭିନ୍ନ କମ୍ପାନୀର କାଗଜପତ୍ର ଜବତ କରାଯାଇଥିଲା ।
ଏହି ଘୋଟାଲା ମାମଲାରେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି । ତାଙ୍କୁ ଇଡି ତରଫରୁ ଘଣ୍ଟା ଘଣ୍ଟା ଜେରା କରାଯାଇଛି । ବିଶେଷ କରି ଏକ କଳା ଡାଏରୀକୁ ନେଇ ଇଡି ତାଙ୍କୁ ଗୋଡ଼ାଇ ତୋଡ଼ାଇ ପ୍ରଶ୍ନ କରିଛି । ଏ ହେଉଛି ସେହି ବ୍ଲାକ ଡାଏରୀ ଯାହାକୁ ଚଢାଉ ବେଳେ ଇଡି ଅର୍ପିତାଙ୍କ ଘରୁ ଜବତ କରିଥିଲା ।