କେନ୍ଦ୍ରୀୟ କର୍ମଚାରୀଙ୍କୁ ଝଟକା: ଜୁଲାଇ ୨୦୨୧ ପର୍ଯ୍ୟନ୍ତ ବଢିବନି ମହଙ୍ଗା ଭତ୍ତା

1 min read

ନୂଆଦିଲ୍ଲୀ: ଦେଶରେ କରୋନା ପାଇଁ ଅର୍ଥନୀତିରେ ପ୍ରଭାବ ପଡିଛି । ଏନେଇ ଗୁରୁବାର ଦିନ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବାକୁ ଥିବା ଡିଏ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାସହ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ଏହି ପ୍ରତିବନ୍ଧକ ୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଜାରି ରହିବ । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ୧ ଜାନୁୟାରୀ ୨୦୨୦ରୁ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କୁ ଯେଉଁ ଡିଏର କିସ୍ତି ମିଳିବାକୁ ଥିଲା ଏବେ ତାହା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି ।

ଅନ୍ୟପଟେ ୧ ଜୁଲାଇ ୨୦୨୦, ୧ ଜାନୁୟାରୀ ୨୦୨୧ରେ ମିଳିବାକୁ ଥିବା ଅତିରିକ୍ତ କିସ୍ତି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି କିସ୍ତି ଉପରେ ପ୍ରତିବନ୍ଧକ ଲଗାଇ ସରକାର ପ୍ରାୟ ୩୭ ହଜାର କୋଟି ଟଙ୍କା ସଞ୍ଚୟ କରିବେ । ଏହି ଆଦେଶ କେନ୍ଦ୍ରୀୟ କର୍ମଚାରୀ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପେନ୍‌ସନ୍‌ ପାଇବାକୁ ଥିବା କର୍ମଚାରୀଙ୍କ ପାଇଁ ଲାଗୁ ହେବ ।

କରୋନା ସଙ୍କଟ ଯୋଗୁଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ପ୍ରକାରର ଯୋଜନାକୁ କାଟି ଦିଆଯାଉଛି । ଏହାପୂର୍ବରୁ ଗୁରୁବାର ଦିନ ପ୍ରତିରକ୍ଷା ବଜେଟରେ କଟକଣା ନେଇ ଚର୍ଚ୍ଚା ଚାଲିଛି । କିଛି  ଅସ୍ତ୍ରଚୁକ୍ତିକୁକିଛି ସମୟ ପାଇଁ ବନ୍ଦ କରାଯିବା ନେଇ ଚିନ୍ତା କରାଯାଉଛି ବୋଲି କୁହାଯାଉଛି । ଯଦି ଏଭଳି ନିଷ୍ପତି ନିଆଯାଏ ତେବେ ଏହାର ପ୍ରଭାବ ରାଫାଲ୍ ବିମାନ କ୍ରୟ, ଏସ-400 ମିସାଇଲ ସିଷ୍ଟମର କ୍ରୟ ଉପରେ ପଡିପାରେ । ଏହାପୂର୍ବରୁ ଭାରତ ସରକାର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସାଂସଦ ଏବଂ ମନ୍ତ୍ରୀମାନଙ୍କ ଦରମା ୩୦% ପର୍ଯ୍ୟନ୍ତ ହ୍ରାସ କରିବାକୁ ଘୋଷଣା କରିଥିଲେ । କେବଳ ସେତିକି ନୁହେଁ, ସାଂସଦ ନିଧି ପାଣ୍ଠିକୁ ମଧ୍ୟ ଦୁଇ ବର୍ଷ ପାଇଁ ରଦ୍ଦ କରାଯାଇଥିଲା।ଆପଣଙ୍କୁ କହି ରଖୁଛୁ ଯେ, କରୋନା  କାରଣରୁ ଦେଶରେ ୪୦ ଦିନିଆ ଲକଡାଉନ୍ କରାଯାଇଛି । ଯେଉଁଥିପାଇଁ ଅର୍ଥନୀତି ସଂପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି । ଜିଡିପି ଏବଂ ରାଜସ୍ୱ ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ୁଥିବାର ଦେଖାଯାଇଛି ।

Leave a Reply