ଅର୍ଥନୈତିକ ସର୍ଭେ ରିପୋର୍ଟ: ୨୦୨୪-୨୫ରେ ଓଡ଼ିଶାର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ଲକ୍ଷ୍ୟ
1 min read
ଭୁବନେଶ୍ବର: ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୪-୨୫ ଲାଗି ଅଭିବୃଦ୍ଧି ୭.୨ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି । ୨୦୨୪-୨୫ରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧ ଲକ୍ଷ ୮୨ ହଜାର ୫୪୮ ଆକଳନ କରାଯାଇଛି । ବଜେଟ୍ ପୂର୍ବରୁ ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତିର ଆକାର ୯.୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହା ପ୍ରାୟ ୧୧୩ ବିଲିୟନ ଆମେରିକୀୟ ଡଲାର । ଏହା ସର୍ବଭାରତୀୟ ସ୍ତରର ୬.୪ ପ୍ରତିଶତ ତୁଳନାରେ ଅଧିକ ।
ରାଜ୍ୟ ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଯୋଗଦାନ ପ୍ରାୟ ୧୯ ପ୍ରତିଶତ ଓ ଏହାର ଅଭିବୃଦ୍ଧି ହାର ୩.୩ ପ୍ରତିଶତ ଅଟେ । ଯାହା ସର୍ବଭାରତୀୟ ସ୍ତରର ଅଭିବୃଦ୍ଧି ସହ ପ୍ରାୟତଃ ସମାନ । ଅପରପକ୍ଷରେ ରାଜ୍ୟ ଅର୍ଥନୀତିରେ ଶିଳ୍ପ କ୍ଷେତ୍ରର ଯୋଗଦାନ ୪୪ ପ୍ରତିଶତ ଥିବାବେଳେ ଏହାର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ଯାହାକି ସର୍ବଭାରତୀୟ ସ୍ତର ସହିତ ପ୍ରାୟ ସମାନ । ରାଜ୍ୟରେ ସେବାକ୍ଷେତ୍ରର ଯୋଗଦାନ ପ୍ରାୟ ୩୭ ପ୍ରତିଶତ ଏବଂ ଏହାର ୧୦ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି ।
୨୦୨୪-୨୫ ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି ପାଇ ୧.୮୩ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚିଛି ଓ ସର୍ବଭାରତୀୟ ମୁଣ୍ଡପିଛା ଆୟଠାରୁ ଏହାର ବ୍ୟବଧାନ ୮.୮ ପ୍ରତିଶତକୁ ହ୍ରାସ ପାଇଛି ।