ଭୋକରେ ବିଶ୍ବର ଅଧିକାଂଶ ଦେଶ, ଜାଣନ୍ତୁ କ’ଣ ରହିଛି କାରଣ

1 min read

ନନ୍ଦିଘୋଷ ବ୍ୟୁରୋ: କେବଳ ଭାରତ ନୁହେଁ, ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ଖାଦ୍ଯ ପଦାର୍ଥର ଦରବୃଦ୍ଧି ପାଲଟିଛି ପ୍ରମୁଖ ସମସ୍ୟା । ଅନେକ ଦେଶରେ ଖାଇବାକୁ ମିଳୁନାହିଁ । ଚାଉଳ, ରନ୍ଧନ ତେଲ ଓ ପିଆଜ ପରି ଖାଦ୍ଯପଦାର୍ଥର ବ୍ଯାପକ ଅଭାବ ଦେଖାଦେଇଛି । ଅନେକ ରାଷ୍ଟ୍ର ନିଜର ରପ୍ତାନି ପରିମାଣ ହ୍ରାସ କରିବାରେ ବି ଲାଗିଛନ୍ତି । ତେବେ ଏସବୁର କାରଣ କଣ । ଋଷ-ୟୁକ୍ରେନ ଯୁଦ୍ଧ, ଏଲ ନିନୋ ଓ ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ସମସ୍ୟା ଉପୁଜିଛି ବୋଲି କକହିଛି ଆନ୍ତର୍ଜାତିକ ଖାଦ୍ଯ ନୀତି ଗବେଷଣା ପ୍ରତିଷ୍ଠାନ ।

ଗତ କିଛିମାସ ତଳେ ଭାରତ ଚାଉଳ ରପ୍ତାନି ବନ୍ଦ କରିଥିଲା । ଫଳରେ ବିଶ୍ବ ରପ୍ତାନିର ଏକ ପଞ୍ଚମାଂଶ ବାଧାପ୍ରାପ୍ତ ହୋଇଥିଲା । ବିଶ୍ବର ପଞ୍ଚମ ବୃହତ ଚାଉଳ ରପ୍ତାନିକାରୀ ରାଷ୍ଟ୍ର ମ୍ୟାମାର ବି ରପ୍ତାନି ହ୍ରାସ କରିଛି । ପ୍ରତିକୂଳ ପରିବେଶ ଯୋଗୁ ଭାରତ ପିଆଜ ଓ ଅନ୍ଯାନ୍ୟ ଖାଦ୍ୟଶସ୍ୟ ରପ୍ତାନି ବନ୍ଦ କରିଥିଲା । ପ୍ରଭାବରେ ବାଂଲାଦେଶରେ ଦରବୃଦ୍ଧି ଘଟିଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଏପରି ଅସମାନତା ଘଟୁଛି ବୋଲି କହିଛନ୍ତି ଆମେରିକା କୃଷି ବିଭାଗର ପୂର୍ବତନ ମୁଖ୍ଯ ଅର୍ଥନୀତିଜ୍ଞ ଗ୍ଲାବର । ବିଶ୍ବର ଅଧିକାଂଶ ଅର୍ଥନୀତିଜ୍ଞ ଏହି ସବୁ ସମସ୍ୟା ଲାଗି ଜଳବାୟୁ ପରିବର୍ତ୍ତନ, ଏଲ ନିନୋ ଓ ଯୁଦ୍ଧକୁ ଦାୟୀ କରୁଛନ୍ତି ।

ଗହମ, ବାର୍ଲି, ସୂର୍ଯ୍ୟମୁଖୀ ତେଲ, ବହୁ ଖାଦ୍ଯଶସ୍ଯର ପ୍ରମୁଖ ଉତ୍ପାଦନକାରୀ ରାଷ୍ଟ୍ର ଥିଲେ ଋଷ ଓ ୟୁକ୍ରେନ । ମାତ୍ର ଯୁଦ୍ଧ ଯୋଗୁ ରପ୍ତାନୀ ବାଧାପ୍ରାପ୍ତ ହୋଇଛି । ଏହାର ପ୍ରଭାବ ଅନେକ ଦେଶରେ ପଡିଛି । ଏଲ ନିନୋ ଯୋଗୁ ବି ଖାଦ୍ଯଶସ୍ୟ ଉତ୍ପାଦନ ଗଭୀର ଭାବେ ବାଧାପ୍ରାପ୍ତ ହୋଇଛି । ଗତ ଅଗଷ୍ଟରେ ଭାରତ ଯେଉଁ ଶୁଷ୍କ ପରିବେଶର ଶିକାର ହୋଇଥିଲା ତାହା ଭାଙ୍ଗିଥିଲା ଗତ 100 ବର୍ଷର ରେକର୍ଡ । ଥାଇଲାଣ୍ଡରେ ବ୍ଯାପକ ମରୁଡି ପଡିଛି ଯାହାର ଫଳ ସ୍ବରୂପ ବିଶ୍ବରେ ଚିନି ରପ୍ତାନି ବାଧାପ୍ରାପ୍ତ ହୋଇଛି । କୃଷ୍ଣ ସାଗର ଦେଇ ୟୁକ୍ରେନରୁ ଉତ୍ପାଦିତ ଖାଦ୍ୟଶସ୍ଯ ପରିବହନ ସଂକ୍ରାନ୍ତ ରାଜିନାମାରୁ ଋଷ ଓହରିଯିବା ପରେ ୟୁକ୍ରେନରୁ ସାମଗ୍ରୀ ବହୁ ଦେଶକୁ ଯାଇପାରୁନାହିଁ । ଫଳରେ ଏହି ସମସ୍ଯା ଉପୁଜିଛି ।