ଏକମୋ ସପୋର୍ଟ ଦିଆଗଲେ ଶହେରୁ ୪୦ ପ୍ରତିଶତ ରୋଗୀ ସୁସ୍ଥ ହେବାର ସମ୍ଭାବନା

1 min read

ଭୁବନେଶ୍ୱର: ସଂକ୍ରମଣ କମିଛି କିନ୍ତୁ କମିନି ବିପଦ। କରୋନାରୁ ସୁସ୍ଥ ହେବା ପରେ ବି ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି କରୋନା ଆକ୍ରାନ୍ତ। ହେଲେ ପୋଷ୍ଟ କୋଭିଡ୍ ଜଟିଳତା ଓ ଦୀର୍ଘମିଆଦି କୋଭିଡକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କରୋନାରୁ ସୁସ୍ଥ ହେବାର ୩ମାସ ବା ୧୨ ସପ୍ତାହ ପର୍ଯ୍ୟନ୍ତ ଶରୀରରେ କିଛି ସମସ୍ୟା ଦେଖାଦେଲେ ଏହାକୁ ଦୀର୍ଘ ମିଆଦି କୋଭିଡ୍ ବା ଲଙ୍ଗ କୋଭିଡ୍ କୁହାଯାଏ। କରୋନାରୁ ସୁସ୍ଥ ହେବା ପରେ କେତେଜଣ ରୋଗୀଙ୍କର କାଶ ହେବା, ଧଇଁସଇଁ ହୋଇଯିବା, ଛାତି କଷ୍ଟ ହେବା ସହ ଅକ୍ସିଜେନ ସାଚୁରେସନ କମିଯାଇଥାଏ। ଅନେକ ରୋଗୀଙ୍କ କ୍ଷେତ୍ରରେ ମୁଣ୍ଡ ବିନ୍ଧା ହେବା, ଚିଡ଼ଚିଡ଼ା ଲାଗିବା, ମାନସିକ ଅବସାଦରେ ରହିବା, କଥା ଭୁଲିଯିବା ଆଦି ସମସ୍ୟା ଦେଖାଯାଇଥାଏ। ଏହିସବୁ ଲକ୍ଷଣକୁ ଦୀଘମିଆଦି କୋଭିଡରେ ଗଣାଯାଇଥାଏ।

ଏ ନେଇ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। କିଛିଦିନର ଚିକତ୍ସା ପରେ ଏହି ସବୁ ଲକ୍ଷଣ ଆପେ ଦୂରେଇ ଯିବ। ବୟସ୍କ ଲୋକ, ମହିଳା କିମ୍ବା ଅତି ଗୁରୁତର ରୋଗରେ ଆକ୍ରାନ୍ତ ଥିବା କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଲଙ୍ଗ କୋଭିଡ୍ ସମସ୍ୟା ଦେଖାଯାଉଛି। ଶିଶୁଙ୍କ କ୍ଷେତ୍ରରେ ଏହି ଲଙ୍ଗ କୋଭିଡ୍ ସମସ୍ୟା ଏତେଟା ଦେଖାଯାଇ ନଥାଏ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ପ୍ରଫେସର ଜୟନ୍ତ କୁମାର ପଣ୍ଡା। ସେହିପରି ECMO ଚିକିତ୍ସାକୁ ନେଇ ସୂଚନା ଦେଇଛନ୍ତି ସମ୍ କୋଭିଡ୍ ହସ୍ପିଟାଲ ମୁଖ୍ୟ ପ୍ରଫେସର ବାନାମ୍ବର ରାୟ। ସେ କହିଛନ୍ତି, ଲଙ୍ଗସ୍ ଖରାପ ଥିଲେ ECMO ମେସିନ ସାହାଯ୍ୟରେ ରକ୍ତ ପରିଷ୍କାର କରାଯାଇ ଶରୀରର ବିଭନ୍ନ ଅଙ୍ଗକୁ ପଠାଯାଇଥାଏ। ସ୍ୱାଇନ ଫ୍ଲୁ ବେଳେ ମଧ୍ୟ ଅନେକ ରୋଗୀଙ୍କୁ ଏକମୋ ଚିକିତ୍ସା ଦିଆଯାଇଥିଲା। ଲଙ୍ଗସ ଟ୍ରାନ୍ସପ୍ଲାଣ୍ଟ ବେଳେ ବି ଏକମୋ ଚିକିତ୍ସା କରାଯାଇଥାଏ। ଏକମୋ ସପୋର୍ଟ ଦିଆଗଲେ ଶହେରୁ ୪୦ ପ୍ରତିଶତ ରୋଗୀ ସୁସ୍ଥ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

Leave a Reply