ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଡିସେମ୍ବର ପହିଲାରୁ ରାମଚଣ୍ଡୀରେ ଇକୋ ରିଟ୍ରିଟ୍‌

ପୁରୀ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଡିସେମ୍ବର ପହିଲାରୁ ରାମଚଣ୍ଡୀଠାରେ ଆରମ୍ଭ ହେବ ଇକୋ ରିଟ୍ରିଟ୍‌ । ରାମଚଣ୍ଡୀରେ କୁଶଭଦ୍ରା ନଦୀ ମୁହାଣ ନିକଟରେ ଆରମ୍ଭ ହେବାକୁ ଥିବା ଏହି ଇକୋ ରିଟ୍ରିଟ୍‌କୁ ଦ୍ଵିତୀୟ ଇକୋ ରିଟ୍ରିଟ୍ ବୋଲି କୁହାଯାଉଛି । କାରଣ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ପର୍ଯ୍ୟଟକଙ୍କ ପାଇଁ ଏହି ଇକୋ ରିଟ୍ରିଟ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି । ୩ ମାସ ଧରି ଚାଲିବାକୁ ଥିବା ଏହି ଦ୍ଵିତୀୟ ଇକୋ ରିଟ୍ରିଟ୍‌ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ECO Retreat

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଫେଷ୍ଟିଭାଲର ପ୍ରସ୍ତୁତି କାର୍ଯ୍ୟକୁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ ଓ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ସମୀକ୍ଷା କରିଛନ୍ତି । କୋଭିଡ୍‌ ଗାଇଡ୍‌ ଲାଇନ ଅନୁଯାୟୀ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରି ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ଫେବୃଆରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଏହି ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମ ଚାଲିବ ।

ECO Retreat

ଚଳିତ ବର୍ଷ ୩ ମାସ ପାଇଁ ୫୦ଟି କଟେଜରେ ପର୍ଯ୍ୟଟକ ମାନେ ରହିବାର ବ୍ୟବସ୍ଥା କରାଯାଇଛି । ଦୀର୍ଘ ୮ ମାସ ହେଲା କରୋନା କଟକଣା ପାଇଁ ସମ୍ପୂର୍ଣ୍ଣ ବନ୍ଦ ପଡିଥିବା ପର୍ଯ୍ୟଟନ ଶିଳ୍ପ ପୁଣି ଚଳଚଂଚଳ ହେବ ବୋଲି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଆଶା ରଖିଛି ।

କୋଣାର୍କ ସମେତ ରାଜ୍ୟର ୪ ସ୍ଥାନରେ ପର୍ଯ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟ୍‌ ସୁବିଧା । ପର୍ଯ୍ୟଟକମାନେ ଅସ୍ଥାୟୀ ତମ୍ବୁତଳେ ତାରକା ହୋଟେଲ ଏବଂ ବାର୍‌ର ସୁବିଧା ପାଇପାରିବେ। ଏଥିସହ ଜଳକ୍ରୀଡ଼ା, ବୋଟିଂ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ସୁବିଧା ମଧ୍ୟ ରହିଛି। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛି ।

ପୂର୍ବରୁ ଚନ୍ଦ୍ରଭାଗାରେ ଆୟୋଜିତ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମକୁ ପର୍ଯ୍ୟଟକ ବେଶ୍‌ ପସନ୍ଦ କରିଥିଲେ ତେଣୁ ଏହାକୁ ପୁଣିଥରେ ବିଭିନ୍ନ ସ୍ଥାନରେ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ଚଳିତବର୍ଷ କୋଣାର୍କ, ହୀରାକୁଦ, ଦାରିଙ୍ଗିବାଡ଼ି, ସାତକୋଶିଆ, ଭିତରକନିକାରେ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି ।

eco retreat

କଟେଜ ବୁକିଂ ପାଇଁ ବିଭାଗ ପକ୍ଷରୁ ଏଯାବତ କୌଣସି ମୂଲ୍ୟ ଧାର୍ଯ୍ୟ କରାଯାଇନାହିଁ । ତେବେ କୋଣାର୍କ ଇକୋ ରିଟ୍ରିଟ୍‌ରେ ୫୦ଟି କଟେଜ୍‌ ସୁବିଧା କରାଯାଇଥିବା ବେଳେ ସାତକୋଶିଆ, ହୀରାକୁଦ, ଦାରିଙ୍ଗିବାଡ଼ିରେ ୨୫ଟି ଏବଂ ଭିତରକନିକାରେ ୧୫ଟି କଟେଜ୍‌ ବ୍ୟବସ୍ଥା କରାଯାଉଛି ।

Leave a Reply