ଆସନ୍ତାକାଲି ବାଜିବ ନିର୍ବାଚନ ବିଗୁଲ, ୪ ରାଜ୍ଯର ବିଧାନସଭା ନିର୍ବାଚନ ଲାଗି ଘୋଷଣା ହେବ ତାରିଖ

1 min read

ନୂଆଦିଲ୍ଲୀ: ଆସନ୍ତାକାଲି ବାଜିବ ନିର୍ବାଚନ ବିଗୁଲ। ଅଷ୍ଟାଦଶ ଲୋକସଭା ଓ ୪ ରାଜ୍ଯର ବିଧାନସଭା ନିର୍ବାଚନ ଲାଗି ଘୋଷଣା ହେବ ତାରିଖ। ୭ କିମ୍ବା ୮ ପର୍ଯ୍ୟାୟରେ ନିର୍ବାଚନ କରିବାକୁ ଘୋଷଣା କରିପାରନ୍ତି ଇସିଆଇ। ୫୪୩ ଲୋକସଭା ଆସନ ଏବଂ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭାର ମୋଟ ୪୧୪ ଆସନ ଲାଗି ଘୋଷଣା ହେବ ତାରିଖ। ନିର୍ବାଚନ ତାରିଖ ଘୋଷଣା କରିବେ ମୁଖ୍ଯ ନିର୍ବାଚନ କମିଶନର ରାଜୀବ କୁମାର, ଦୁଇ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ।

ଏହା ସହ ଦେଶରେ ଲାଗୁହେବ ନିର୍ବାଚନ ଆଚରଣ ବିଧି। ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଦାଖଲ, ପ୍ରାର୍ଥୀପତ୍ର ପ୍ରତ୍ଯାହାର ଠାରୁ ଆରମ୍ଭ କରି ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ସହ ବିଭିନ୍ନ କଟକଣା ମଧ୍ଯ ଲଗାଇବେ ନିର୍ବାଚନ କମିଶନ। ୨୦୧୯ରେ ୭ ପର୍ଯ୍ୟାୟରେ ଅର୍ଥାତ ୧୧, ୧୮, ୨୩, ୨୯ ଏପ୍ରିଲ ଏବଂ ୬, ୧୨ ଓ ୧୯ ମେରେ ହୋଇଥିଲା ନିର୍ବାଚନ। ୨୦୧୯ ମାର୍ଚ୍ଚ ୧୦ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବାବେଳେ ୨୩ମେ’ ରେ ଫଳାଫଳ ଘୋଷିତ ହୋଇଥିଲା ।

ଚଳିତ ବର୍ଷ ରାଜ୍ଯରେ ହେବ ସପ୍ତଦଶ ବିଧାନସଭା ନିର୍ବାଚନ। ୨୧ଟି ଲୋକସଭା ସହ ୧୪୭ ବିଧାନସଭାରେ ଭୋଟ୍ ଲାଗି ଘୋଷଣା ହେବ ତାରିଖ। ଗତ ୨୦୧୯ରେ ଚାରି ପର୍ଯ୍ୟାୟ ଅର୍ଥାତ ୧୧ ଏପ୍ରିଲରେ ୪ଟି, ୧୮ ଏପ୍ରିଲରେ ୫ଟି, ୨୩ ଏପ୍ରିଲରେ ୬ଟି ଓ ୨୯ ଏପ୍ରିଲରେ ୬ଟି ଲୋକସଭା ଆସନରେ ହୋଇଥିଲା ଭୋଟ। ସେହିପରି ୧୧ ଏପ୍ରିଲରେ ୨୮, ୧୮ ଏପ୍ରିଲରେ ୩୫, ୨୩ ଏପ୍ରିଲରେ ୪୨ ଓ ୨୯ ଏପ୍ରିଲରେ ୪୧ଟି ବିଧାନସଭା ଆସନ ଲାଗି ହୋଇଥିଲା ଭୋଟ। ଓଡ଼ିଶାରେ ୩ କୋଟି ୩୨ ଲକ୍ଷ ଭୋଟର ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୪ ଲକ୍ଷ। ରାଜ୍ୟରେ ୩ ହଜାର ୩୮୦ ତୃତୀୟ ଲିଙ୍ଗୀ, ୬ ଲକ୍ଷ ୮୦ ହଜାର ବରିଷ୍ଠ ନାଗରିକ ଥିବାବେଳେ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସଂଖ୍ୟା ୯ ହଜାର ୬୦। ୧୮ରୁ ୧୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ଯା ୭ଲକ୍ଷ ୫୦ ହଜାର ଥିବାବେଳେ ୧୮ରୁ ୧୯ ବର୍ଷ ଭୋଟରଙ୍କ ମଧ୍ଯରେ ମହିଳାଙ୍କ ସଂଖ୍ଯା ୩ ଲକ୍ଷ ୪୦ ହଜାର। ୪ ଲକ୍ଷ ୭୦ ହଜାର ଯୁବକ ପ୍ରଥମ ଥର ପାଇଁ ମତଦାନ କରିବେ। ରାଜ୍ଯରେ ବୁଥ ସଂଖ୍ୟା ୩୭ ହଜାର ୮୦୯ ରହିବ। ୨୨ହଜାର ୬୮୫ ବୁଥରେ ୱେବକାଷ୍ଟିଂ କରାଯିବ। ୩୦୦ ବୁଥକୁ ପରିଚାଳନା କରିବେ ଭିନ୍ନକ୍ଷମ। ସେହିପରି ୭୦୦ ବୁଥକୁ ପରିଚାଳନା କରିବେ ଯୁବକ। ଆଦର୍ଶ ବୁଥ ସଂଖ୍ୟା ରହିବ ୭୦୦। ରାଜ୍ୟର ସବୁଠୁ ଦୁର୍ଗମ ଅଞ୍ଚଳରେ ବି ବୁଥ ପ୍ରତିଷ୍ଠା କରାଯିବ।

ରାଜ୍ଯରେ ବର୍ତ୍ତମାନ ସୁଦ୍ଧା ୧୬ଥର ବିଧାନସଭା ନିର୍ବାଚନ ହୋଇଛି। ୧୯୫୧-୫୨, ୧୯୫୭, ୧୯୬୧, ୧୯୬୭, ୧୯୭୧, ୧୯୭୪, ୧୯୭୭, ୧୯୮୦, ୧୯୮୫, ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ଶେଷଥର ଲାଗି ୨୦୧୯ରେ ହୋଇଥିଲା ବିଧାନସଭା ନିର୍ବାଚନ।