ମତଦାନରେ ଭାରତର ବିଶ୍ବ ରେକର୍ଡ : ମୁଖ୍ଯ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ଭୋଟିଂରେ ଭାରତର ବିଶ୍ବ ରେକର୍ଡ । ଚବିଶ ନିର୍ବାଚନ ଐତିହାସିକ ବୋଲି କହିଛନ୍ତି ଦେଶର ମୁଖ୍ଯ ନିର୍ବାଚନ କମିଶନର ରାଜୀବ କୁମାର । ଭୋଟ୍ ଗଣତି ପୂର୍ବରୁ ଆଜି ଏକ ପ୍ରେସମିଟ୍ କରି ସମସ୍ତ ମତଦାତାଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ଯ ନିର୍ବାଚନ କମିଶନର । ତେବେ ଚଳିତ ନିର୍ବାଚନରେ ୬୪ କୋଟିରୁ ଅଧିକ ମତଦାତା ନିଜର ମତାଧିକାର ସାବ୍ଯସ୍ତ କରିଥିବାବେଳେ ୩୧ କୋଟିରୁ ଅଧିକ ମହିଳା ଭୋଟର ମତଦାନ ପର୍ବରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଇସିଆଇ ।

ସେହିପରି ଜାମ୍ମୁ ଓ କାଶ୍ମୀରରେ ଗତ ୪ ଦଶନ୍ଧୀରେ ସବୁଠୁ ଅଧିକ ମତଦାନ ହୋଇଛି । ଉପତ୍ଯକାରେ ୫୧.୦୫ ପ୍ରତିଶତ ପୋଲିଂ ହୋଇଛି । ମାତ୍ର ୩୯ଟି ବୁଥରେ ପୁନର୍ବାର ମତଦାନ ହୋଇଛି । ସାରା ଦେଶରେ ଶାନ୍ତି ଶୃଙ୍ଖଳାର ସହ ପୋଲିଂ ସରିଛି । ସାତଟି ପର୍ଯ୍ୟାୟରେ ହୋଇଥିବା ମତଦାନରେ କୌଣସି ବଡ଼ ହିଂସାକାଣ୍ଡ ଘଟିନି । ଏହି ନିର୍ବାଚନରେ ୬୮ ହଜାର ମନିଟରିଂ ଟିମ, ଦେଢ କୋଟି ପୋଲିଂ ଓ ସୁରକ୍ଷା କର୍ମଚାରୀ ନିୟୋଜିତ ଥିଲେ । ୪ ଲକ୍ଷ ଯାନବାହାନ, ୧୩୫ ସ୍ବତନ୍ତ୍ର ଟେର୍ନ, ୧୬୯୨ ବିମାନ, ହେଲିକପ୍ଟର ଆଦି ବ୍ଯବହାର କରାଯାଇଥିଲା । ୪୯୫ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରୁ ୯୦ ପ୍ରତିଶତ ସମାଧାନ ହୋଇଛି ।