ବିଧାନସଭା ନିର୍ବାଚନ: ଜମ୍ମୁ-କାଶ୍ମୀରରେ ସେପ୍ଟେମ୍ବର ୧୮ରୁ ହରିୟାଣାରେ ଅକ୍ଟୋବର ୧ରେ

ନୂଆଦିଲ୍ଲୀ: ଦେଶରେ ପୁଣି ବାଜିଲା ନିର୍ବାଚନ ବିଗୁଲ । ଉଷ୍ଣ ହେଲା ରାଜନୀତି । ଜମ୍ମୁ ଓ କାଶ୍ମୀର ଏବଂ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ । ଜମ୍ମୁ ଓ କାଶ୍ମୀରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ।

ଜମ୍ମୁ ଓ କାଶ୍ମୀରରେ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ସେହିପରି ସେପ୍ଟେମ୍ବର ୨୫ରେ ଦ୍ବିତୀୟ ପର୍ଯ୍ୟାୟ ଓ ଅକ୍ଟୋବର ୧ ତାରିଖରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଅକ୍ଟୋବର ୪ ତାରିଖରେ ଭୋଟ ଗଣତି କରାଯାଇ ସେହିଦିନ ଫଳାଫଳ ଘୋଷଣା କରାଯିବ । ମୋଟ ୮୭ ଆସନରେ ଜମ୍ମୁ ଓ କାଶ୍ମୀରରେ ମତଦାନ ହେବ ।

ପ୍ରଥମ ପର୍ଯ୍ୟାୟ ଲାଗି ୨୦ ଅଗଷ୍ଟରେ ପ୍ରକାଶ ପାଇବ ବିଜ୍ଞପ୍ତି । ୨୭ ଅଗଷ୍ଟ ପ୍ରଥମ ପର୍ଯ୍ୟାୟ ନାମାଙ୍କନର ଶେଷ ତାରିଖ ରହିଛି । ୨୮ ଅଗଷ୍ଟ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୩୦ ଅଗଷ୍ଟ ନାମାଙ୍କନ ପ୍ରତ୍ଯାହାରର ଶେଷ ତାରିଖ। ଦ୍ବିତୀୟ ପର୍ଯ୍ୟାୟ ଲାଗି ୨୯ ଅଗଷ୍ଟରେ ପ୍ରକାଶ ପାଇବ ବିଜ୍ଞପ୍ତି । ୫ ସେପ୍ଟେମ୍ବର ଦ୍ବିତୀୟ ପର୍ଯ୍ୟାୟ ନାମାଙ୍କନର ଶେଷ ତାରିଖ ରହିଛି । ୬ ସେପ୍ଟେମ୍ବରରେ ହେବ ଯାଞ୍ଚ । ୯ ସେପ୍ଟେମ୍ବର  ନାମାଙ୍କନ ପତ୍ର ପ୍ରତ୍ଯାହାରର ଶେଷ ତାରିଖ ରହିଛି । ଦ୍ବିତୀୟ ପର୍ଯ୍ୟାୟ ଲାଗି ୨୫ ସେପ୍ଟେମ୍ବରରେ ହେବ ଭୋଟ । ତୃତୀୟ ପର୍ଯ୍ୟାୟ ଲାଗି ବିଜ୍ଞପ୍ତି ଜାରି ହେବ ୫ ସେପ୍ଟେମ୍ବରରେ ।  ୧ ଅକ୍ଟୋବରରେ ହେବ ଭୋଟ । ୩ଟି ଯାକ ପର୍ଯ୍ୟାୟର ଭୋଟ ଗଣତି ୪ ଅକ୍ଟୋବରରେ ହେବ । ୬ ଅକ୍ଟୋବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ଚଳିତ ନିର୍ବାଚନରେ ଜମ୍ମୁ ଓ କାଶ୍ମୀରରେ ୮୭ ଲକ୍ଷ ୯ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୧ ହଜାର ୮ ଶହ ମତଦାନ କେନ୍ଦ୍ର ହେବ । ଚଳିତ ନିର୍ବାଚନରେ ଜମ୍ମୁ ଓ କାଶ୍ମୀରରେ ୨୦ ଲକ୍ଷରୁ ଅଧିକ ଯୁବ ଭୋଟର ସେମାନଙ୍କ ନେତା ବାଛିବାକୁ ଯାଉଛନ୍ତି । ମହିଳାଙ୍କ ମତଦାନ ହାର କେମିତି ଅଧିକ ହେବ ତା’ଉପରେ ଇସିଆଇ ଗୁରୁତ୍ବ ଦେଇଛନ୍ତି ।

ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ମତଦାନ

ସେହିପରି ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଅକ୍ଟୋବର ୧ ତାରିଖରେ ହରିୟାଣାରେ ମତଦାନ ହେବ । ଅକ୍ଟୋବର ୪ ତାରିଖରେ ଭୋଟ ଗଣତି କରାଯାଇ ସେହି ଦିନ ଫଳାଫଳ ଘୋଷଣା କରାଯିବ । ସୂଚନା ଯୋଗ୍ୟ ହରିୟାଣାରେ ମୋଟ ୯୦ ଆସନରେ ମତଦାନ ହେବାକୁ ଯାଉଛି ।

ସେପ୍ଟେମ୍ବର ୫ ତାରିଖରେ ନାମାଙ୍କନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ । ୧୨ ସେପ୍ଟେମ୍ବର ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ୧୩ ସେପ୍ଟେମ୍ବର ନାମାଙ୍କନ ପତ୍ର ଯାଞ୍ଚ ହେବ । ୧୬ ସେପ୍ଟେମ୍ବର ସୁଦ୍ଧା ହେବ ନାମାଙ୍କନ ପ୍ରତ୍ଯାହାର । ୪ ଅକ୍ଟୋବରରେ ହେବ ଭୋଟ ଗଣତି । ୬ ଅକ୍ଟୋବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ଚଳିତ ନିର୍ବାଚନରେ ହରିୟାଣାରେ ୨ କୋଟି ଭୋଟର ଅଛନ୍ତି । ମହିଳା ଭୋଟରଙ୍କ ସଂଖ୍ୟ ୯୫ ଲକ୍ଷ ହୋଇଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ରହିଛି । ଗୋଟିଏ ପର୍ଯ୍ୟାୟରେ ହେବାକୁ ଯାଉଥିବା ଏହି ନିର୍ବାଚନ ପାଇଁ ୨୦ ହଜାର ୬୨୯ ମତଦାନ କେନ୍ଦ୍ର ସ୍ଥାପନ କରାଯିବ ।