ନିର୍ବାଚନ ପାଇଁ ବାଜିଲା ବିଗୁଲ, ୧୬ରେ ତ୍ରିପୁରା, ୨୭ରେ ନାଗାଲାଣ୍ଡ ଓ ମେଘାଳୟରେ ଭୋଟିଂ

ନୂଆଦିଲ୍ଲୀ: ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ  । ତ୍ରିପୁରା, ମେଘାଳୟ, ନାଗାଲାଣ୍ଡରେ ହେବ ବିଧାନସଭା ନିର୍ବାଚନ  । ସବୁ ରାଜ୍ୟରେ ୬୦ଟି ଲେଖାଏଁ ଆସନ ଥିବା ବେଳେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ମାର୍ଚ୍ଚ ୨ରେ ଭୋଟ ଗଣତି ହେବ । ଫେବ୍ରୁଆରୀ ୧୬ରେ ତ୍ରିପୁରା ପାଇଁ ମତଦାନ ହେବ । ମେଘାଳୟ ଓ ନାଗାଲାଣ୍ଡରେ ଫେବ୍ରୁଆରୀ ୨୭ ତାରିଖରେ ହେବ ନିର୍ବାଚନ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।

ତ୍ରିପୁରା ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୩୦ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି । ଜାନୁଆରୀ ୩୧ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଫେବ୍ରୁଆରୀ ୨ରେ ପ୍ରାର୍ଥିପତ୍ର ପତ୍ୟାହାର କରିପାରିବେ ପ୍ରାର୍ଥୀ । ସେହିଭଳି ମେଘାଳୟ ଓ ନାଗାଲାଣ୍ଡ ପାଇଁ ଜାନୁଆରୀ ୩୧ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଫେବ୍ରୁଆରୀ ୭ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଫେବ୍ରୁଆରୀ ୮ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଫେବ୍ରୁଆରୀ ୧୦ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।