ମରକ୍କୋରେ ଭୟଙ୍କର ଭୂକମ୍ପ, ୨୯୬ ଜଣଙ୍କ ମୃତ୍ୟୁ

1 min read

ନନ୍ଦିଘୋଷ ବ୍ୟୁରୋ: ଭୂକମ୍ପରେ ଥରିଲା ମରକ୍କୋ । ତୁର୍କୀ ପରେ ମରକ୍କୋରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୬.୮ । ଭୁଶୁଡ଼ିଲା ବଡ଼ ବଡ଼ କୋଠା । ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୯୬ରେ ପହଞ୍ଚିଛି । ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା । ଶହ ଶହ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଚାଲିଛି ଜୋରଦାର ରେସ୍କ୍ୟୁ ଅପରେସନ । ଆଫ୍ରିକୀୟ ଦେଶ ମରକ୍କୋରେ ସକାଳୁ ସକାଳୁ ଭୀଷଣ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଉତ୍ପତ୍ତି ସ୍ଥଳ ମରକ୍କୋରୁ ୭୦ କିଲୋମିଟର ଦୂରରେ ଥିବା ସୂଚନା ମିଲିଛି । ଭୂକମ୍ପ ଏତେ ତୀବ୍ର ଥିଲା ଯେ ପ୍ରାୟ ୩୫୦ କିଲୋମିଟର ଦୂର ମରକ୍କୋର ରାଜଧାନୀ ରବାତ୍‌ରେ ଏହା ଅନୁଭୂତ ହୋଇଛି ।

ଭାରତୀୟ ସମୟ ଅନୁସାରେ ଭୋର ୩ଟା ୪୧ରେ ଭୂମିକମ୍ପ ହୋଇଥିଲା । ୧୨୦ ବର୍ଷରେ ଉତ୍ତର ଆଫ୍ରିକାରେ ଏହା ସବୁଠାରୁ ବଡ଼ ଭୂକମ୍ପ । ୟୁଏସଜିଏସଏ ଅନୁସାରେ ୧୯୦୦ ମସିହାରେ ଏହି ଅଞ୍ଚଳ ୫ଶହ କିଲୋମିଟର କ୍ଷେତ୍ରରେ ବଡ଼ଧରଣର ଭୂକମ୍ପ ଆସିନଥିଲା । ଏହା ଏମ-5 ଲେବଲର ୯ ଭୂକମ୍ପ ହୋଇଛି । ଦ୍ବିତୀୟ ଭୂକମ୍ପ ଆଶଙ୍କା ଥିବାରୁ ଭୟଭୀତ ଅଛନ୍ତି ଲୋକ । ଭୂକମ୍ପ ପରେ ଲୋକ ଆଉ ଘରେ ନାହାନ୍ତି, ରାସ୍ତା ଉପରେ ବସିଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏପରି ଏକ ବିନାଶକାରୀ ଭୂକମ୍ପ ଚଳିତ ବର୍ଷ ଫେବ୍ରୁଆରୀ ୬ରେ ତୁର୍କୀରେ ହୋଇଥିଲା । ଯେଉଁଥିରେ ୪୫ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ୭.୮ ଥିଲା ଭୂକମ୍ପର ତୀବ୍ରତା । ଚାରି ଥର ଭୂମିକମ୍ପ ତୁର୍କୀକୁ ବିଧ୍ବଂସ କରିଦେଇଥିଲା ।