୧୦ ହଜାର ଟପି ପାରେ ମିଆଁମାର ଭୂକମ୍ପ ମୃତକଙ୍କ ସଂଖ୍ୟା

1 min read

ନନ୍ଦିଘୋଷ ବ୍ୟୁରୋ: ମିଆଁମାର ଭୂକମ୍ପରେ ବଢ଼ିବାରେ ଲାଗିଛି ମୃତ୍ୟୁସଂଖ୍ୟା । ଏକ ହଜାରରୁ ଅଧିକ ମୃତଦେହ ଉଦ୍ଧାର ହୋଇ ସାରିଛି । ଏପରି ସ୍ଥିତିରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି । ଧ୍ବଂସସ୍ତୂପ ତଳୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଥାଇଲାଣ୍ଡରେ ବି ଘଟିଛି ନାହିଁ ନଥିବା କ୍ଷତି । ବିପଦ କାଳରେ ଭାରତ ସମେତ ଅନ୍ଯାନ୍ୟ ରାଷ୍ଟ୍ର ବଢାଇଲେ ସହାୟତାର ହାତ ।

କେଇ ସେକଣ୍ଡର ପ୍ରଳୟ । ମିଆଁମାର ଛାରଖାର । ସବୁଠି ବିଭୀଷିକାର ସ୍ବାକ୍ଷର । କେଉଁଠି ନଭଶ୍ଚୁମ୍ବୀ କୋଠା ଧସିଛି ତ କେଉଁଠି ଭୁଶୁଡ଼ିଯାଇଛି ବ୍ରିଜ । ନିୟତିର ତମାମ ତାଣ୍ଡବରେ ଆଖି ପିଛୁଳାକେ ଚାଲିଯାଇଛି ଶହ ଶହ ଜୀବନ । ଗତକାଲି ଲଗାତାର ଦୁଇଟି ଭୂକମ୍ପ ଘଟିଥିବା ବେଳେ ଆଜି ପୁଣି ୫.୧ର ସାନି ଭୂକମ୍ପ ସାରା ମିଆଁମାରକୁ କରିଛି ବେସାହାର । ମୃତ୍ୟୁସଂଖ୍ଯା ୧୦ ହଜାରରୁ ଅଧିକ ହେବ ବୋଲି ଆଶଙ୍କା ପ୍ରକାଶ କରିଛି ଆମେରିକା ଜିଓଲୋଜିକାଲ ସର୍ଭେ ସଂସ୍ଥା । ଚାପି ହୋଇ ଆହତ ହୋଇଛନ୍ତି ହଜାର ହଜାର ଲୋକ । ଆହତ ଲୋକଙ୍କୁ ଧ୍ବଂସସ୍ତୂପ ତଳୁ କରାଯାଉଛି ଉଦ୍ଧାର। ଗୃହଯୁଦ୍ଧରେ ଖିନଭିନ୍ନ ହୋଇଥିବା ମିଆଁମାରରେ ଏବେ ପ୍ରକୃତିର ତାଣ୍ଡବ ସାରା ଜନଜୀବନକୁ କରିଦେଇଛି ଅସ୍ତବ୍ୟସ୍ତ । ଦେଶବାସୀଙ୍କୁ ସହାୟତା ଦେବା ଲାଗି ଆହ୍ବାନ ଦେଇଛନ୍ତି ଜୁଣ୍ଟା ଶାସକ ମିନ ଅଙ୍ଗ ହାଇଙ୍ଗ । ଗତକାଲି ଭୂକମ୍ପନରେ ଧସିଯାଇଥିଲା ୧୦୦ ବର୍ଷ ପୁରୁଣା ଆଭା ବ୍ରିଜ ।

ସେପଟେ ଥାଇଲାଣ୍ଡରେ ବି ନାହିଁ ନଥିବା କ୍ଷତି କରିଛି ଭୂକମ୍ପ । ଧୂଳିସାତ ହୋଇଛି ଅନେକ କୋଠା ଓ ବ୍ରିଜ। ରାଜଧାନୀ ବ୍ୟାଙ୍କକରେ ୨ ହଜାରରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି । ବ୍ୟାଙ୍କକର ଚାଟୁଛକ ମାର୍କେଟରେ ୧୦୦ରୁ ଅଧିକ ଶ୍ରମିକ ପୋତି ହୋଇଥିବା ଆଶଙ୍କା କରାଯାଉଛି। ସେପଟେ ଭୂକମ୍ପରେ ବ୍ୟାଙ୍କକ ଥରି ଉଠିଥିବା ବେଳେ ରାସ୍ତାରେ ଜଣେ ଆସନ୍ନ ପ୍ରସବାଙ୍କୁ ସହାୟତା କରିଥିଲେ ଡାକ୍ତର ଓ କର୍ମଚାରୀ । ସେ ଜଣେ ପୁତ୍ର ସନ୍ତାନ ପ୍ରସବ କରିଥିବା ଜଣାଯାଇଛି ।

ବିପଦ କାଳେ ବନ୍ଧୁର ଭୂମିକା ନିର୍ବାହ କରିଛି ଭାରତ । ଅପରେସନ ବ୍ରହ୍ମାରେ ମିଆଁମାରକୁ ପଠାଯାଇଛି ଔଷଧ, ଖାଦ୍ୟ ପଦାର୍ଥ ସମେତ ୧୫ ଟନ ରିଲିଫ ସାମଗ୍ରୀ । ସେହିପରି ଆଇଏନଏସ ସତପୁରା ଓ ଆଇଏନଏସ ସାବିତ୍ରୀରେ ପଠାଯାଇଛି ୪୦ ଟନ ସାମଗ୍ରୀ । ବାୟୁସେନା ବାହିନୀର ସି-୧୩୦ ଏୟାରକ୍ରାଫରେ ବି ଯାଇଛନ୍ତି ୪୦ ଜଣ ଏନଡିଆରଏଫ ଯବାନ । ମିଆଁମାରକୁ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଜାତିସଂଘ ପକ୍ଷରୁ ୫ ନିୟୁତ ଡଲାର ସହାୟତା ଦିଆଯାଇଛି ।