ମୋତେ ବଞ୍ଚେଇଦିଅ… ସାରା ଜୀବନ ମୁଁ ତୁମ ଗୁଲାମୀ କରିବି…

ତୁର୍କୀ: ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂମିକମ୍ପ ପରେ ଦିନକୁ ଦିନ ଆସୁଛି ଛାତି ଥରାଇଦେଲା ଭଳି ଦୃଶ୍ୟ । ବଡ଼ ବଡ଼ ସିମେଣ୍ଟ ଖଣ୍ଡ ଭିତରେ ଫସି ରହିଛନ୍ତି ଅନେକ ଲୋକ । ସେଠାରେ ମୃତ୍ୟୁ ସଂଖ୍ୟା ୮ ହଜାର ପାର କରିସାରିଥିଲାବେଳେ ଏହି ସଂଖ୍ୟା ଆହୁରି ବଢ଼ିବା ଅନୁମାନ କରାଯାଉଛି । ଦିନ ରାତି ଉଦ୍ଧାରକାରୀ ଟିମ୍ କାମରେ ଲାଗିଛନ୍ତି ।

ଏବେ ଉଦ୍ଧାର ବେଳର ଆଉ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରାୟ ୩୬ ଘଣ୍ଟା ଧରି ଦୁଇ ଭାଇ ଭଉଣୀ ସିମେଣ୍ଟ ଚଟାଣ ତଳେ ଫସି ରହିଥିବା ନଜରକୁ ଆସିଛି । ଏଠାରେ ଆଶ୍ଚର୍ଯ୍ୟର କଥା ହେଉଛି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ମଧ୍ୟ କରାଯାଇଛି ।

ଏହି ଧ୍ବଂସ ଲୀଳାରେ ଦୁଇ ଶିଶୁଙ୍କର ମାଆ ମୃତ୍ୟୁ ବରଣ କରିଛନ୍ତି । ଉଦ୍ଧାରକାରୀ ଦଳକୁ ପ୍ରଥମେ ଶିଶୁ କାନ୍ଦୁ ଥିବାର ଶବ୍ଦ ଶୁଭିଥିଲା । ଏହା ପରେ ଟିମ୍ ଦୁଇ ଶିଶୁଙ୍କୁ ଦେଖିଥିଲେ । ଏତିକିବେଳେ କୁନି ଝିଅ କହିଥିଲା ମୋତେ ବାହାରକର… ଆପଣ ଯାହା କହିବେ ମୁଁ ତାହା କରିବି… ସାରା ଜୀବନ ଆପଣଙ୍କ ଗୁଲାମ ହେଇ ରହିବି…

ନିଜ ସାନ ଭାଇକୁ ସୁରକ୍ଷା ଦେବାକୁ ଭଉଣୀ ଉପରେ ଥିଲା । ଏବଂ ଭଉଣୀ ଉପରେ ସିମେଣ୍ଟ ଖଣ୍ଡ ପଡ଼ିଥିବାର ଦେଖାଯାଇଥିଲା । ଉଦ୍ଧାର ବେଳେ ଦେଖାଯାଇଥିବା ଏଭଳି ଦୃଶ୍ୟ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା ।

ଏହା ପରେ ଉଦ୍ଧାରକାରୀ ଦଳ ଭାଇ ଭଉଣୀଙ୍କୁ ସିମେଣ୍ଟ ତଳୁ ବାହାର କରିଥିଲେ । ଝିଅଟିର ନାଁ ମରିୟମ । ସେ କହିଲା ଭୂକମ୍ପ ବେଳେ ମୁଁ ଭାଇ ସହ ଖଟରେ ଶୋଇଥିଲି ।

କେବଳ ଏତିକି ନୁହେଁ ବଡ଼ ବଡ଼ ସିମେଣ୍ଟ ଖଣ୍ଡ ତଳେ ଚାପି ହୋଇ ରହିଥିବା ୩ ବର୍ଷର କୁନି ଛୁଆକୁ ମଧ୍ୟ ଉଦ୍ଧାରକାରୀ ଟିମ୍ ଉଦ୍ଧାର କରିଛନ୍ତି । ଅନେକ ପିଲାଙ୍କୁ ଉଦ୍ଧାର କରାଯାଉଥିଲାବେଳେ ତାଙ୍କ ବାପା ମାଆଙ୍କ ପତ୍ତା ମିଳୁନି । ଏବଂ ଛୁଆମାନେ ବାପା ମାଆଙ୍କ ପାଖକୁ ଯିବାକୁ କାନ୍ଦୁଛନ୍ତି ।

ଅନେକ ଲୋକ ଏହି ଧ୍ବଂସ ଲୀଳା ପରେ ନିଜ ପ୍ରିୟଜନଙ୍କୁ ଜୀବିତ ଦେଖି ଖୁସିରେ ଆତ୍ମହରା ବି ହେଇଯାଉଛନ୍ତି ।